କରୋନା ସଂକଟ ଭିତରେ ମାତିଛନ୍ତି ବାଲି ମାଫିଆ । ରାସ୍ତାକଡରେ ଗଦା କରିଛନ୍ତି ଟନ ଟନ ବାଲି । ସବୁ ଜାଣିବି ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ

102

କନକ ବ୍ୟୁରୋ:  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର ବିଭିନ୍ନ ଅଂଚଳରେ ମାତିଛନ୍ତି ବାଲି ମାଫିଆ । ରାସ୍ତା କଡରେ ଗଦା କରିଛନ୍ତି  ଟନ ଟନ ବାଲି । ସବୁ ଜାଣି ନିରବ ରାଜସ୍ୱ ବିଭାଗ । ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେବାରେ ଲାଗିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର ବକ୍ସମା ପଂଚାୟତ ରେ ଦେଖିବାକୁ ମିଳିଛି ଏପରି ଘଟଣା । ରାଜସ୍ୱ ବିଭାଗର  କୈାଣସି ବାଲିଘାଟ ନଥିବା ବେଳେ ସେଠାରେ କେବେ ମଧ୍ୟ ସରକାରୀ ଟେଣ୍ଡର କରାଯାଇନାହିଁ । ହେଲେ ବେଆଇନ ଭାବେ ଲୋକଙ୍କୁ ଭୟଭିତ କରି ଭେଡେନ ନଦୀରେ କିଛି ମୁଷ୍ଠିମେୟ ଲୋକ ଘାଟ ନିର୍ମାଣ କରି ମନ ଇଛା ବାଲି ଉଠାଇ ଚାଲିଛନ୍ତି । ତାହା ପୁଣି ବର୍ଷ ବର୍ଷ ଧରି ।

ଠାକୁର ନିକ୍ତିମାଲ , କଟୁନଗର ସମେତ ଅନେକ ଯାଗାରେ ଏବେ ଗଦା ହୋଇ ରହିଛି ଟନ ଟନ ବାଲି । ବର୍ତମାନ ବର୍ଷା ସମୟରେ ଚଢା ଦରରେ ବାଲି ବିକ୍ରି କରୁଛନ୍ତି ଦଲାଲ । ଆଉ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ବାରମ୍ବାର ଅଭିଯୋଗ କଲେବି କେହି ଶୁଣି ନଥିବା କହିଛନ୍ତି ଗ୍ରାମବାସୀ । ବେଆଇନ ବାଲି ଚୋରାଚାଲାଣକୁ ବିରୋଧ କଲେ ଲୋକଙ୍କୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୁଚିଣ୍ଡା ତହସିଲଦାର ।