ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ସରକାରଙ୍କୁ ଘେରିଲେ ବିରୋଧୀ; କହିଲେ, ରାଜ୍ୟରେ ହେଉଛି ବ୍ୟାପକ ବାଲି ଚୋରି, ନାହିଁ ବାଲି ନୀତି

ବାଚସ୍ପତି କହିଲେ ଆନ୍ଧ୍ରକୁ ହେଉଛି ବାଲି ଚୋରା ଚାଲାଣ; ଉତ୍ତର ରଖି ମନ୍ତ୍ରୀ କହିଲେ ୧୪୪ ତହସିଲ ସମ୍ବେଦନଶୀଳ ଚିହ୍ନଟ

81

କନକ ବ୍ୟୁରୋ : ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା । ବାଲି ନୀତି କରିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ କହିବା କଥା ବାଲି ନୀତି ନହେବା ଯୋଗୁଁ ଓଡିଶା ବାଲି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ବାଲି ଚୋରା ଚାଲଣା ପାଇଁ ରାଜ୍ୟ ବର୍ଷକୁ ପ୍ରାୟ ୫ ହଜାର କୋଟି ରାଜସ୍ୱ ହରାଉଛନ୍ତି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଗରିବ ଲୋକ ଜଣେ ଟ୍ରାକ୍ଟରରେ ବାଲି ଆଣିଲେ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଉଛି କିନ୍ତୁ ଦଲାଲ ଟ୍ରକ ଟ୍ରକ ବାଲି ବୋହି ନେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଖେଶଦ ବାଚସ୍ପତି କହିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଛି । ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବାଲି ନୀତି ଚିଠା ପ୍ରସ୍ତାବ ଏବେ ଚୂଡାନ୍ତ ପର୍ଯ୍ୟାୟରେ ଅଛି । ୨୦୧୮ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । କରୋନା ଯୋଗୁଁ ବାଲି ନୀତିରେ ବିଳମ୍ବ ହେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୧୪୪ଟି ତହସିଲ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ମନ୍ତ୍ରୀ ଗୃହରେ ଉତର ରଖିଛନ୍ତି ।