ସ୍ୱାଭିମାନ ଅଂଚଳର ଗାଈ ଚରାଳି ଏବେ ସଫଳ ବାଲୁକା ଶିଳ୍ପୀ : କୋୟା ଜନଜାତିର ଯୁବକ ମୁକା କାବାସିଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ନିଜ କଳା ମାଧ୍ୟମରେ ବାଂଟୁଛନ୍ତି ସଚେତନତାର ବାର୍ତ୍ତା

213

କନକ ବ୍ୟୁରୋ : ବାଲୁକା କଳା ତାଙ୍କୁ ଦେଇଛି ଏକ ନୂଆ ରାହା ଓ ପରିଚୟ । ବାଲୁକା କଳାରେ ସେ ନିଜକୁ କରିଦେଇଛନ୍ତି ନିମଗ୍ନ । ଗଢ଼ିବସୁଛନ୍ତି ଭଳିକି ଭଳି ବାଲୁକା କଳା । ବେଶ୍ ସୁନ୍ଦର ଓ ଆକର୍ଷଣୀୟ । ଏହେଉଛନ୍ତି ସ୍ୱାଭିମାନ ଅଂଚଳର କୋୟା ଜନଜାତିର ଯୁବକ ମୁକା କାବାସିଙ୍କ କାହାଣୀ ।

ମାଲକାନଗିରି କାଲିମେଳା ବ୍ଳକ ତୁମ୍ବାଗୁଡ଼ା ଗାଁର ମୁକା କାବାସି ଏବେ ବାଲୁକା କଳାକୁ ନେଇ ଏବେ ଆଗକୁ ବଢ଼ୁଛନ୍ତି । ଦିନ ଥିଲା ସେ ମାଓ ପ୍ରବଣ ଅଂଚଳରେ ସେ ଗାଈ ଚରାଉଥିଲେ, ପକ୍ଷୀ ଶିକାର କରୁଥିଲେ । ହେଲେ ନିଜର କଳା ମାଧ୍ୟମରେ ଏବେ ସଚେତନତାର ବାର୍ତା ବାଂଟୁଛନ୍ତି ମୁକା କାବାସି । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଷୟରେ ଜାଣିବାର ସୁଯୋଗ ପାଇବା ପରେ ସେ ଠିକ୍ କରନେଇଥିଲେ, ଭବିଷ୍ୟତରେ ନିଜେ ମଧ୍ୟ ବାଲୁକା ଶିଳ୍ପୀ ହେବେ । ଏଥିପାଇଁ ନିଜେ ମୁଲ ଲାଗି ୧୦ ହଜାର ଟଙ୍କା ଯୋଗାଡ଼ କରି ୨୦୧୫ରେ ଭୁବନେଶ୍ୱର ଚାଲିଆସିଥିଲେ ।

ଭୁବନେଶର ଓ ପରେ ପୁରୀରେ ପାଠ ପଢ଼ିଲେ । ଏହି ସମୟରେ ସୁଦର୍ଶନ ପଟ୍ଟନାୟକଙ୍କ ସହ ମିଶିବାର ସୁଯୋଗ ମିଳିଲା । ସୁଦର୍ଶନଙ୍କ ବାଲୁକା କଳା କେନ୍ଦ୍ରରେ ମଧ୍ୟ ସେ ତାଲିମ ନେଲେ । ବାଶ୍ ତା ପରେ ସେ ଆଗକୁ ବଢ଼ିଚାଲିଛନ୍ତି । ଦେଶର ବିଭିନ୍ନ ଜାଗାକୁ ଯାତ୍ରା କରୁଛନ୍ତି । ନିଜ ସଫଳତା ପାଇଁ ସେ ସୁଦର୍ଶନଙ୍କୁ ଶ୍ରେୟ ଦିଅନ୍ତି । ମୁକା କାବାସିଙ୍କ କହିବା କଥା କୋୟା ଜନଜାତିର କିଛି ପିଲା ଅଧାରୁ ପାଠପଢ଼ା ଛାଡ଼ି ମାଓସଂଗଠନ ଆଡ଼କୁ ଢଳିଯାଉଥିବା ବେଳେ କଳା ହିଁ ତାଂକୁ ନୂଆ ଦିଗ ଦେଇଛି ।