ନବୀନଙ୍କ ଚମ୍ପୁଆ ଚାଲ! ନବୀନ ନିବାସରେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ, ୧୯ ସମୀକରଣର ସମ୍ଭାବନା କଣ?

1,305

କନକ ବ୍ୟୁରୋ : ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବା ସହ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ରାଜନୈତିକ ଗତିବିଧି ଉପରେ ରାଜ୍ୟବାସୀଙ୍କର ରହିଛି ନଜର । ଏସବୁ ଭିତରେ କେଉଁଝର ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଜେଡିର ପୁରୁଣା ନେତା ଘରକୁ ବାହୁଡୁଥିବା ବେଳେ ଆଜି ନବୀନ ନିବାସରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ ନବୀନ ନିବାସ ଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । । ଏପରିକି ସନା ମଧ୍ୟ ବିଜେଡିରେ ମିଶିବା ନେଇ ଭ୍ରମ ସୃଷ୍ଟି ହୋଇଥିଲା । ତେବେ କିଛି ସମୟ ପରେ ସନା ନବୀନ ନିବାସରୁ ଫେରିଥିଲେ ମଧ୍ୟ ହାତରେ ଶଙ୍ଖ ନଥିଲା । କିନ୍ତୁ ଏହା ଏବେ ଏକ ଭିନ୍ନ ରାଜନୈତିକ ସମୀକରଣକୁ ଜନ୍ମ ଦେଇଛି ।

୨୦୧୯ ନିର୍ବାଚନରେ ସାଇଲେଣ୍ଟ ହୋଇଯିବେ କି ସନାତନ? ନିର୍ବାଚନ ନ ଲଢି ବିଜେଡି ପ୍ରାର୍ଥୀଙ୍କୁ ଦେବେ କି ସମର୍ଥନ? ଏଭଳି କିଛି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ନବୀନଙ୍କୁ ସନାତନ ନବୀନ ନିବାସରେ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଭେଟଘାଟର କାରଣ ଜଣାପଡିନଥିଲେ ମଧ୍ୟ ନବୀନ-ସନା ଭେଟଘାଟର ପ୍ରଭାବ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଚମ୍ପୁଆ ସମେତ କେଉଁଝରରେ ସନାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ଏହା ନିର୍ବାଚନରେ ବଡ ଫ୍ୟାକ୍ଟର ଭାବେ ଉଭା ହୋଇଥାଏ । ଯାହାର ଝଲକ ଗତ ନିର୍ବାଚନରେ ଦେଖିବାକୁ ମିଳିଥିଲା । କୌଣସି ଦଳ ନୁହେଁ ବରଂ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଜୟୀ ହେବା ସହ ନିଜର ଲୋକପ୍ରିୟତା ଓ ଜନସମର୍ଥନର ପ୍ରମାଣ ଦେଇଥିଲେ ।

ତେବେ ଗତ କିଛି ଦିନ ପୂର୍ବେ ନିଜେ ଗଢିଥିବା ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ସନାତନ ଇସ୍ତଫା ଦେବା ପରେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ସନା କେଉଁ ଦଳକୁ ଯିବେ ଓ ଚଳିତ ନିର୍ବାଚନରେ ସନା ନିର୍ବାଚନ ଲଢିବେ କି ନାହିଁ ଓ ଯଦି ଲଢିବେ ତେବେ କେଉଁ ଦଳରୁ ଲଢିବେ ତହା ଉପରେ ସମସ୍ତଙ୍କର ନଜର ।