ସନାତନ ଧର୍ମ ସପକ୍ଷରେ ବାହାରିଲେ ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ । କହିଲେ, ଧର୍ମକୁ ମଳିନ କରିବାକୁ ବିରୋଧୀ କରୁଛନ୍ତି ଷଡଯନ୍ତ୍ର

119

କନକ ବ୍ୟୁରୋ: ସନାତନ ଧର୍ମକୁ ନେଇ ଇଣ୍ଡିଆ ମେଣ୍ଟର ନେତାଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମେଣ୍ଟକୁ ଅହଙ୍କାରୀ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ଆଉ କହିଛନ୍ତି, ଅହଙ୍କାରୀ ବିରୋଧୀ ମେଣ୍ଟ ସନାତନ ଧର୍ମକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତେଣୁ ଦେଶର ସମସ୍ତ ସନାତନୀ ଏବଂ ଦେଶକୁ ଭଲ ପାଉଥିବା ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି ମୋଦୀ ।

ତେବେ ବିରୋଧୀଙ୍କୁ ଜବାବ୍ ଦେବାକୁ ହୁଏତ ସମୟ ଓ ସୁବିଧାକୁ ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଯେଉଁ ସୁଯୋଗ ମଧ୍ୟପ୍ରଦେଶର ଜନସଭାରେ ମିିଳିଥିଲା । ସନାତନ ଧର୍ମକୁ ଟାର୍ଗେଟ୍ କରୁଥିବା ଦଳକୁ ଉଚିତ୍ ଜବାବ୍ ଦେବାକୁ ଭରପୁର ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ମେଣ୍ଟକୁ ଘମଣ୍ଡିଆ ବା ଅହଙ୍କାରୀ ମେଣ୍ଟ ବୋଲି ତାଚ୍ଛଲ୍ୟ କରିବା ସହ ସନାତନ ଧର୍ମ ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି- ସନାତନ ଧର୍ମକୁ ଧ୍ୱଂସ କରିବା ହିଁ ବିରୋଧୀ ମେଣ୍ଟର ଉଦ୍ଦେଶ୍ୟ । ଆଜି ସେମାନେ ଖୋଲାଖୋଲି ସନାତନ ଧର୍ମକୁ ଟାର୍ଗେଟ୍ କରୁଛନ୍ତି । ଆସନ୍ତାକାଲି ସେମାନେ ଆକ୍ରମଣକୁ ଆହୁରି ଜୋରଦାର କରିବେ । ଦେଶକୁ ଭଲ ପାଉଥିବା ଲୋକମାନେ ଏଥିପ୍ରତି ସତର୍କ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ରଖିଥିବା ସନାତନକୁ ମୂଳପୋଛ କରିବା ମନ୍ତବ୍ୟ ଦେଶର ରାଜନୀତିରେ ନିଆଁ ଲଗାଇ ଦେଇଥିଲା । ଉଦୟନିଧିଙ୍କ ବୟାନକୁ ନେଇ ବିବାଦ ଥମିବି ନଥିଲା, ସେଇ ଡିଏମକେ ଦଳର ନେତା ଏ ରାଜା, ଆଉ ଗୋଟିଏ ପାଦ ଆଗକୁ ବଢ଼ି, ଏଡସ ଓ କୁଷ୍ଠ ରୋଗ ସହ ତୁଳନା କରିଥିଲେ । ଆଉ ସମସ୍ତଙ୍କୁ ଟପି ଯାଇଥିଲା ଉଦ୍ଧବ ଠାକରେଙ୍କ ବୟାନ । ଗୋଧ୍ରାକାଣ୍ଡର ପୁନରାବୃତି ଆଶଙ୍କା କରି ସାରା ଦେଶକୁ ସ୍ତବ୍ଧ କରିଦେଇଥିଲେ । ଆଉ ଏହି ସବୁ ବୟାନ ଜବାବ୍ ରଖିବାକୁ ଉଦ୍ୟମର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିନ୍ଦୁତ୍ୱ ରାଜନୀତିରେ ବିଶ୍ୱାସ କରୁଥିବା ବିଜେପି, ସନାତନ ବିରୋଧୀ ବୟାନ ସହଜରେ ଗ୍ରହଣ କରିପାରିନାହିଁ ।