ସରକାର..ଆଉ କେତେ କଷ୍ଟ ସହିବେ ସନତ । କ୍ୟାନ୍ସରରେ ପୀଡିତ ହୋଇ ଛଟପଟ ହେଉଛନ୍ତି ସ୍ୱାମୀ, ସାହାଯ୍ୟ ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ ।

153

କନକ ବ୍ୟୁରୋ: ସୁନାର ସଂସାରକୁ ନେଇ ସେ କେତେ କଣ ସ୍ୱପ୍ନ ଦେଖିଥିଲେ । କିନ୍ତୁ ପାଟିରେ ହୋଇଥିବା ଛୋଟିଆ ଘା ଟିଏ ଆଜି ଜୀବନର ସବୁ ସ୍ୱପ୍ନକୁ ସଂଘର୍ଷରେ ପରିଣତ କରିଦେଇଛି । ଏବେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଘରର ମୁଖିଆ । ଆଉ ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ । କ୍ୟାନ୍ସରର ଏହା ଏଭଳି ଏକ କରୁଣକାହାଣୀ ଯାହା ଆପଣଙ୍କ ଆଖିକୁ ଲୁହରେ ଓଦା କରିଦେବ ।

ହସଖୁସିରେ ବିତୁଥିବା ଜୀବନରେ ଯେମିତି ହଠାତ୍ ଖୁସି ବାଟ ଭାଙ୍ଗି ଚାଲିଗଲା । କାରଣ ସୁନାର ସଂସାରରେ ହଠାତ୍ ମାଡି ଆସିଲା କ୍ୟାନ୍ସର ରୂପୀ କଳା ବାଦଲ । ଆଉ ଏବେ ପୂରା ପରିବାର ସେହି କଷ୍ଟରେ ଜର୍ଜରିତ । ସ୍ତ୍ରୀ ସ୍ୱାମୀର ଚିକିତ୍ସା ପାଇଁ କରୁଛି ଆକୁଳ ନିବେଦନ । ସ୍ୱାମୀର ଏପରି ଅବସ୍ଥା ଦେଖି ସ୍ତ୍ରୀ ଆଖିରୁ ଲୁହ ଶୁଖୁନାହିଁ । ଆମେ କହୁଛୁ ଉଦଳା ବ୍ଲକ ଖୁଂଟାପାଳ ଗ୍ରାମର ସନତ ପାଣିଗ୍ରାହୀଙ୍କ କଥା । ସନତ ପାଣିଗ୍ରାହୀଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଏବଂ ପୁଅ । ଝିଅ ବାହା ହୋଇଯାଇଥିବା ବେଳେ ଏବେ ପୁଅ ଏବଂ ସ୍ତ୍ରୀକୁ ନେଇ ହସଖୁସିରେ ଜୀବନ ବିତୁଥିଲା । ହେଲେ ହଠାତ୍ ଦୁଇ ବର୍ଷ ପୂର୍ବେ ସନତଙ୍କ ଦାନ୍ତରେ ସମସ୍ୟା ଦେଖାଦେଲା । ସେ ଦାନ୍ତ ଚିକିତ୍ସା କରାଇଥିଲେ । ପରେ ସେଥିରୁ ରୋଗ ସଂକ୍ରମିତ ହୋଇଥିଲା । ଏବଂ ପୁରା ପାଟିକୁ ଏହା ବ୍ୟାପିଯାଇଥିଲା । ଆଜକୁ ଏକ ବର୍ଷ ହେବ ତାଙ୍କ ମୁହଁର ସ୍ଥିତି ଏପରି ଯାହାକୁ ଆପଣ ଖାଲି ଆଖିରେ ଦେଖିପାରିବେ ନାହିଁ ।

ତେବେ ସନତଙ୍କ ପାଟିର ଏହି ବଡ଼ ଘା’ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ସ୍ୱାମୀଙ୍କର ପାଟିରେ ଘାଟି ଦିନକୁ ଦିନ ବଢିବା ଦେଖି ସ୍ତ୍ରୀ ଆରତୀ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ନେଇ ଚିକିତ୍ସା କରାଇଥିଲେ । ପରେ ପାଟିରେ ହୋଇଥିବା ଘା କ୍ୟାନ୍ସର ହୋଇଥିବା ଜାଣିପାରି କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନାରେ କେମୋ ମଧ୍ୟ ନେଇଥିଲେ । ଏତେ ସବୁ ଚିକିତ୍ସା କରାଇବା ନିମନ୍ତେ ପାଖରେ ଥିବା ଜମିବାଡି, ସୁନା ଅଳଙ୍କାର ସବୁ ବିକିଭାଙ୍ଗି ଖର୍ଚ୍ଚ କରି ସାରିଥିବା ବେଳେ ଏବେ ପୁରା ପରିବାର ନିଃସହାୟ । ତେଣେ ପୁଅ କାର୍ତିକେଶ୍ୱର ଦିବ୍ୟାଙ୍ଗ ହୋଇଥିବାରୁ ଭଲରେ କଥା କହିପାରନ୍ତି ନାହିଁ । ହେଲେ ସେ ପାଠ ପଢୁଥିଲେ ସୁଦ୍ଧା ବାପାଙ୍କର ଏପରି ଅବସ୍ଥାରେ ଘରେ ଆର୍ôଥକ ସମସ୍ୟା ଦେଖା ଦେବାରୁ ଏକ ବର୍ଷ ହେବ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି ।

ଅନ୍ୟପଟେ ସ୍ୱାମୀଙ୍କର ଅଧିକ ଚିକିତ୍ସା ପାଇଁ ବିପୁଳ ପରିମାଣର ଅର୍ଥର ଆବଶ୍ୟକତା ରହିଛି । ହେଲେ ପାଖରେ ସମ୍ବଳ ନ ଥିବାରୁ ସ୍ୱାମୀଙ୍କୁ ଘରକୁ ଫେରାଇ ଆଣି ଏବେ କେବଳ ସହାୟତାକୁ ଚାହିଁ ବସିଛନ୍ତି ଏହି ଅସହାୟ ପରିବାର । ତେବେ ଏ ବାବଦରେ ପଚାରି ବୁଝିବାକୁ ଆମେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ନିକଟରେ । ସେ ପୁରା ଘଟଣା ଶୁଣିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ଜୀବନ ସହ ସଂଘର୍ଷ କରୁଥିବା ସନତଙ୍କ ପରିବାରକୁ ସରକାରୀ ସ୍ତରର ସହାୟତା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ପୁଣି ହସଖୁସିରେ ସେ ଜୀବନ ବିତାଇପାରନ୍ତେ । ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ତେବେ ନୋଟ୍ କରନ୍ତୁ,

SANAT KUMAR PANIGRAHI

KHUNTAPAL, DIMAGADIA, RADHOUDALA

A/C NO -31674649436

BANK – STATE BANK OF INDIA, UDALA BRANCH

IFSC CODE – SBIN0001128