ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ବିଜେପୁର ପାଇଁ ସନତ ଗଡତିଆଙ୍କ ନାଁରେ ମୋହର ମାରିଲା ଭାରତୀୟ ଜନତା ପାର୍ଟି

797

କନକ ବ୍ୟୁରୋ: ବିଜେପୁରରୁ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା । ସନତ ଗଡ଼ତିଆଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନତଙ୍କ ନାଁରେ ମୋହର ମାରିଛି । ଗତ ସାଧାରଣ ନିର୍ବଚନରେ ନବୀନ ପଟ୍ଟାନୟକଙ୍କ ବିରୋଧରେ ଲଢ଼ି ସନତଗଡ଼ତିଆ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ତେଣୁ ତାଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି ।

ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ସନତ ଗଡତିଆ, ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଦିଲ୍ଲୀପ ପଣ୍ଡା । ଗତକାଲି ବିଜେଡ଼ି ପକ୍ଷରୁ ରୀତା ସାହୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ବିଜେପୁର ଉପନିର୍ବାଚନରେ ଏକ ଲକ୍ଷରୁ ଅଧିକ ଭୋଟ୍ ପାଇ ରୀତା ସାହୁ ବିଜୟୀ ହୋଇଥିଲେ । ତେଣୁ ରୀତା ସାହୁଙ୍କ ଉପରେ ପୁଣି ଥରେ ବିଶ୍ୱାସ ରଖିଛି ବିଜେଡି ।

ଏକଦା କଂଗ୍ରେସ ଗଡ଼ ଥିବା ବିଜେପୁର ନିର୍ବାଚନମଣ୍ଡଳୀ, ରୀତା ସାହୁ ଆସିବା ପରେ ବିଜେଡି କବ୍ଜାର ରହି ଆସିଛି । ସେହିପରି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ତୃଣମୁଳସ୍ତରର ଜଣେ ଟାଣୁଆ ନେତା ହୋଇଥିବାରୁ ରୀତା ସାହୁଙ୍କୁ କଡ଼ା ଟକ୍କର ଦେବେ ବୋଲି କଂଗ୍ରେସ ଦାବି କରିଛି ।