ସାନଖେମୁଣ୍ଡିରେ କିଏ ରଖିବ ଦଳର ସମ୍ମାନ? ବିଜେଡି ପାଇଁ ପ୍ରାର୍ଥୀ କନ୍ଦଳ, କଂଗ୍ରେସକୁ ରମେଶ ଦେବେ କି ବଳ । ବିଜେପିକୁ ମିଳିବ କି ପ୍ରଥମ ବିଜୟ ?

369

କନକ ବ୍ୟୁରୋ :ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ସାନଖେମୁଣ୍ଡି ଅନ୍ୟତମ । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରେ ଏହି ବିଧାନସଭା ଆସନ ଆସୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ଜିଲ୍ଲାର ଏହି ଏକମାତ୍ର ଆସନ କଂଗ୍ରେସ ଦଖଲକୁ ଚାଲି ଯାଇଥିଲା। ଅବଶ୍ୟ ୨୦୧୪ରେ ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ସାମ୍ନାକୁ ଆଣି ଏହି ଆସନକୁ ନିଜ ଦଖଲକୁ ଆଣିଥିଲା ବିଜେଡି।

ମୁଣ୍ଡ ଉପରେ ନିର୍ବାଚନ। ଏବେ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିଲାଣି। ଜିଲ୍ଲାରେ କଂଗ୍ରେସ ଟଳମଳ ସ୍ଥିତିରେ ରହିଥିଲେ ମଧ୍ୟ ଏଠାରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରମେଶ ଚନ୍ଦ୍ର ଜେନାଙ୍କ ସକ୍ରିୟ ନେତୃତ୍ବ ଯୋଗୁଁ ଏହି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଅନ୍ୟ ଆସନ ତୁଳନାରେ ଅପେକ୍ଷାକୃତ ଭଲ। ଏଥର ମଧ୍ୟ ପୂର୍ବତନ ବିଧାୟକ ରମେଶ ଜେନା କଂଗ୍ରେସରୁ ଏକମାତ୍ର ଆଶାୟୀ ପ୍ରାର୍ଥୀ। ତେବେ ନିର୍ବାଚନ ଯେତିକି ପାଖଉଛି ବିଜେଡି ଓ ବିଜେପିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସେତିକି ବୃଦ୍ଧି ପାଉଛି। ବିଜେଡିରେ ଏବେ ବିଧାୟିକା ନନ୍ଦିନୀ ଦେବୀଙ୍କୁ ମିଶାଇ ୬ଜଣ ଆଶାୟୀ।

ବିଜେପିର ଏଠି ଦୃଢ ନେତୃତ୍ବ ନ ଥିବା କାରଣରୁ କଂଗ୍ରେସ ବିଜେଡିରେ ଅନ୍ତର୍ଦ୍ବନ୍ଦ୍ବରୁ ଫାଇଦା ନେବାକୁ ଏବଂ ପୁଣି ଥରେ ଏହି ଆସନ ଦଖଲ କରିବାକୁ ଦଳ ରଣନୀତି ଚଳାଇଥିବା ଚର୍ଚ୍ଚା ଧରିଛି। ଦଳର ଦୁଇ ଯୁବ ନେତା ସାନଖେମୁଣ୍ଡିରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡିଛନ୍ତି । ବିଜୟ ସ୍ୱାଇଁ ଓ ପ୍ରଦୀପ ପତ୍ରୀ ଏଠାରେ ବିଜେପି ଟିକେଟ ରେସରେ ଥିବା ବେଳେ କାହାକୁ ଟିକେଟ ମିଳୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ଚଳିତ ନିର୍ବାଚନରେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି। ଆଉ ଏହି ଆସନରେ କଂଗ୍ରେସର ସ୍ଥିତି ଭଲ ଥିବାରୁ କଂଗ୍ରେସ ଭାଗରେ ପଡିବ ବୋଲି କୁହାଯାଉଛି। କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଏକମାତ୍ର ଆଶାୟୀ ପ୍ରାର୍ଥୀ ରହିଛନ୍ତି। କିନ୍ତୁ ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ବିଜେଡିରୁ ବର୍ତ୍ତମାନର ବିଧାୟିକା ନନ୍ଦିନୀ ଦେବୀଙ୍କ ବ୍ୟତୀତ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ସଭାପତି ତଥା ପୂର୍ବତନ ଆସିକା ଏମପି ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସମୀର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ପ୍ରଧାନ, ଓସକାର୍ଡ଼ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଓ ଯୁବନେତା ଓ ସମାଜସେବୀ ମଙ୍ଗୁଳୁ ପାତ୍ର ମଧ୍ୟ ଆଶାୟୀ ଭାବେ ଉଭା ହୋଇଛନ୍ତି। ଯୁବକ ମାନଙ୍କୁ ଧରି ନିଜ ସଙ୍ଗଠନକୁ ଶକ୍ତିଶାଳୀ କରୁଥିବା ବେଳେ ତାଙ୍କ ଉପରେ ବିଜେଡି ସୁପ୍ରିମୋଙ୍କ ଶୁଭଦୃଷ୍ଟି ପଡିବ ଚର୍ଚ୍ଚା ହେଉଛି । ଯୁବକ ମାନଙ୍କୁ ଧରି ନିଜ ସଙ୍ଗଠନକୁ ଶକ୍ତିଶାଳୀ କରୁଥିବା ବେଳେ ତାଙ୍କ ଉପରେ ବିଜେଡି ସୁପ୍ରିମୋଙ୍କ ଶୁଭଦୃଷ୍ଟି ପଡିବ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଗତଥରର ବିଜେପି ପ୍ରାର୍ଥୀ ବୀର କିଶୋର ଦେବ ଏହାମଧ୍ୟରେ ବିଜେଡିରେ ଯୋଗ ଦେଇ ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଲତିକା ଗତ ଥର କବିସୂର୍ଯ୍ୟନଗର ଆସନରୁ ବିଜେଡି ଟିକେଟ୍ ପାଇଥିଲେ। କିନ୍ତୁ ଖଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ପୁଣି ପ୍ରାର୍ଥୀ କରାଯିବା ଲାଗି ତାଙ୍କ ସମର୍ଥକ ଅଡ଼ି ବସିବାରୁ ଲତିକାଙ୍କ ଟିକେଟ ବାତିଲ କରି ସୁଜ୍ଞାନଙ୍କୁ ବିଜେଡି ଟିକେଟ ମିଳିଥିଲା। ତେଣୁ ଦଳପତି ଏଥର ତାଙ୍କୁ ନିରାଶ କରିବେନି ବୋଲି ଲତିକାଙ୍କ ସମର୍ଥକ କହିବୁଲୁଛନ୍ତି ।

ସବୁଠୁ ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାରୁ ଏହି ଆସନ ବିଜେଡି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ସେହିଭଳି ବିଜେଡିକୁ କଡା ଟକ୍କର ଦେବାକୁ କଂଗ୍ରେସ ଅଙ୍କ କଷୁଛି । ତେବେ ଏସବୁ ଭିତରେ ପ୍ରଥମ ଥର ପାଇଁ ସାନଖେମୁଣ୍ଡିରେ ପଦ୍ମ ଫୁଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି ।