ମୁହାଁମୁହିଁ ହେଲେ ସନା ମହାକୁଡ ଓ ମିନାକ୍ଷୀ ମହାନ୍ତ ସମର୍ଥକ । ଆକ୍ରମଣ ନେଇ ଅଭିଯୋଗ ଭିତରେ କାଲି ବଡ ନେତାଙ୍କ ଭାଗ୍ୟ ପରୀକ୍ଷା

135

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ପୂର୍ବରୁ କେନ୍ଦୁଝର ଚମ୍ପୁଆରେ ହିଂସା । କୁହାଯାଉଛି ଚମ୍ପୁଆ ରାଜନୀତିର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ଏବେ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି ଖଣ୍ଡଯୁଦ୍ଧ । ଗତ ୧୪ ତାରିଖରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ସନା ସମର୍ଥକଙ୍କ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେଇଛନ୍ତି ମିନାକ୍ଷୀଙ୍କ ସମର୍ଥକ । ଯୋଡାର ବଳଦା ପଞ୍ଚାୟତର ଗୁରୁଡ଼ା ଗାଁରେ ରବିବାର ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି ।

ଅଭିଯୋଗ ଅନୁସାରେ ୭୦ରୁ ୮୦ ଜଣ ମିନାକ୍ଷୀଙ୍କ ସମର୍ଥକ ଏହି ଗାଁରେ ପଶି ସନା ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରାୟ ୧୦ରୁ ଅଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି ।

ଗତ ୧୪ ତାରିଖରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସମର୍ଥକଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଯୋଡା ବ୍ଲକ ପାଳାସା ପଞ୍ଚାୟତରେ ଏହି ଘଟଣା ଘଟିଥିଲା । ଉଭୟ ସନା ଓ ମିନାକ୍ଷୀଙ୍କ ସମର୍ଥକ ନିଜକୁ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି ଦାବି କରୁଥିବାରୁ ବିବାଦ ରହିଥିଲା । ଯାହା ଉଗ୍ରରୂପ ନେଇ ସଂଘର୍ଷରେ ପରିଣତ ହୋଥିଲା । ଗୋଟିଏ ଗୋଷ୍ଠୀର ପ୍ରଚାର ଗାଡିକୁ ଆଉ ଏକ ଗୋଷ୍ଠୀ ଆକ୍ରମଣ କରିବାରୁ ୩ ଜଣ ଗୁରୁତର ଆହତ ହୋଇଥିଲେ ।

ତେବେ କେନ୍ଦୁଝର ରାଜନୀତିରେ ସନାତନ ମହାକୁଡଙ୍କ ରହିଛି ଅଖଣ୍ଡ ପ୍ରଭାବ । ତାଙ୍କ ସମର୍ଥନ ପାଇବାକୁ ୨୦୧୯ରେ ସାଂସଦ ଓ ଚମ୍ପୁଆ ବିଧାୟକ ପଦ ଟେକି ଦେଇଥିଲା ବିଜେଡି । ସନାଙ୍କ ପ୍ରାର୍ଥୀ ଭାବେ ମିନାକ୍ଷୀ ମହାନ୍ତ ବିଜେଡି ଟିକେଟରେ ଚମ୍ପୁଆରୁ ବିଧାୟିକା ହୋଇଥିଲେ । ହେଲେ ସନାଙ୍କଠାରୁ ମିନାକ୍ଷୀଙ୍କ ଦୂରତା ବଢିଥିବା କୁହାଯାଉଛି । ପଞ୍ଚାୟତ ନିର୍ବାଚନ ମହାପର୍ବର ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ମଙ୍ଗଳବାର ପଡୁଛି ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ଅନେକ ପ୍ରଭାବଶାଳୀ ନେତାଙ୍କ ପଞ୍ଚାୟତ ପରୀକ୍ଷା ହେବାକୁ ଯାଉଛି । ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଭୋଟ୍ ପଡିବାକୁ ଯାଉଥିବାବେଳେ ଏୟୁ ସିଂଦେଓଙ୍କ ପରିବାର ଓ ସାଂସଦ ସଂଗୀତା ସିଂଦେଓଙ୍କ ନେତୃତ୍ୱର ପ୍ରଦର୍ଶନ ଉପରେ ନଜର ରହିବ । କଳିକେଶ ସିଂଦେଓଙ୍କୁ ଆଦିବାସୀ ସଂଗଠନ ପକ୍ଷରୁ ବିରୋଧ ହୋଇଥିଲା । ପଞ୍ଚାୟତ ଫଳାଫଳ ଅର୍କେଶ ସିଂଦେଓଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ସ୍ଥିର କରିବ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଜିଲ୍ଲା ରାଜନୀତିରେ ପ୍ରଭାବର ହେବ ପରୀକ୍ଷା ।

ଆସନ୍ତାକାଲି ବାଲେଶ୍ୱର ନୀଳଗିରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପତିଆରାର ପରୀକ୍ଷା ହେବାକୁ ଯାଉଛି । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ପରେ ନିଜ ନିର୍ବାଚନୀ କ୍ଷେତ୍ରରେ ବେଶ ସକ୍ରିୟ ଅଛନ୍ତି ବାଲେଶ୍ୱର ସାଂସଦ । ମଣ୍ଡି ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷର ପ୍ରଭାବ ପଞ୍ଚାୟତ ଭୋଟରେ କଣ ରହିବ ତାର ମୂଲ୍ୟାୟନ ହେବାକୁ ଯାଉଛି ।ସେହିପରି ଆଠଗଡରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଲଢେଇ କରୁଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ । ପାରାଦୀପ କୁଜଙ୍ଗରେ ବିଧାୟକ ସମ୍ବିତ ରାଉତରାୟ, ଯାଜପୁର ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡେଇ, ପିପିଲିରେ ନୂଆ ବିଧାୟକ ରୁଦ୍ର ମହାରଥୀଙ୍କ ହେବ ପଞ୍ଚାୟତ ପରୀକ୍ଷା ।

ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅସୁସ୍ଥତା କାରଣରୁ ଅନୁପସ୍ଥିତିର କଣ ରହିବ ପ୍ରଭାବ ? କେନ୍ଦ୍ରାପଡାରେ ଶଶୀ ବେହେରା ବନାମ ଗଣେଶ୍ୱର ବେହେରା ନିର୍ଣ୍ଣାୟକ ରୂପ ନେବ କି ? ସେପଟେ ରାୟଗଡରେ ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କ ପତିଆରର ହେବ ପଞ୍ଚାୟତ ପରୀକ୍ଷା । ଖାଲି ସେତିକି ନୁହେଁ, ବିଧାୟକ ମକରନ୍ଦ ମୁଦୁଲିଙ୍କ ସମର୍ଥନ ମିଳିବା ପରେ ବିଜେଡିର ପ୍ରଦର୍ଶନ ଉପରେ ନଜର ରହିବ ।