ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ । ବନ୍ଦରୁ ଅତ୍ୟାବଶ୍ୟକ ସେବା ବାଦ୍

109

କନକ ବ୍ୟୁରୋ : ଆଜି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ସକାଳ ୬ରୁ ଅପରାହ୍ଣ ୪ ଯାଏଁ ୧୦ ଘଂଟିଆ ବନ୍ଦ ଡାକରାକୁ ଓଡିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ରାଜନୈତିକ ଦଳ ସହ କୃଷକ ସଂଗଠନ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଥିବାରୁ ବନ୍ଦର ପ୍ରଭାବ ଦେଖା ଯାଇଛି । କୌଣସି ଅପରିତିକର ପରିସ୍ଥିିତି ଏଡ଼ାଇବାକୁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଆନ୍ଦୋଳନକାରୀ ପିକେଟିଂ କରି ରେଳ ରୋକ, ରାସ୍ତା ଅବରୋଧ କରୁଥିବା ଦେଖା ଯାଇଛି । ଦୋକାନ ବଜାର ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି ଆନ୍ଦୋଳନକାରୀ । ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ଦିଆଯାଇଛି ।

ଯାଜପୁର : କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । ସଂଗଠନର ଅଳ୍ପ କେତେକ କର୍ମକତା ହାତରେ ବ୍ୟାନର ଧରି ରାସ୍ତାରେ ଧାରଣା ଦେଇଛନ୍ତି । ତେବେ ବନ୍ଦର ସେଭଳି ପ୍ରଭାବ ପରିଲିଖିତ ହୋଇନାହିଁ । ଅନ୍ୟାନ୍ୟ ରାଜନୈତିକ ଦଳ ବନ୍ଦକୁ ସମର୍ଥନ ଜଣାଇଥିଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇନଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁର : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦର ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିନାହିଁ । ଯାତାୟତ ସ୍ୱାଭାବିକ ଚାଲିଛି । ଦୋକାନ ବଜାର ଖୋଲିଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାରେ ଲାଗିଛି । ରାସ୍ତାରୋକ କିମ୍ବା ଫ୍ଲାଗ ମାର୍ଚ୍ଚ ହୋଇନାହିଁ ।

ସୁବର୍ଣ୍ଣପୁର : ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପକଣ୍ଠରେ ଭାରତ ବନ୍ଦ ସଂପୃର୍ଣ୍ଣ ଭାବରେ ସଫଳ ହୋଇଛି । ବୀରମହାରାଜପୁର କୃଷକ ପରିସଦର କର୍ମକତାମାନେ ସୋନପୁର ରେଢ଼ାଖୋଲ ରାସ୍ତାର ମୁଖ୍ୟ ଛକ ଠାରେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ କରିଛନ୍ତି ।

ଗୁଣୁପୁର : ରାୟଗଡ଼ା ଗୁଣୁପୁର ଠାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସିପିଆଇଏମଏଲ ଲିବେରେସେନ ଓ ୩ଟି କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବନ୍ଦ ପାଇଁ କୃଷକ ସଂଗଠନ ଓ ବାମପନ୍ଥୀ ଦଳର କର୍ମୀମାନେ ଗୁଣୁପୁର ଏସପି ଗୁଡ଼ା ଛକ ନିକଟରେ ଟାୟାର ଜାଳି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ରେଳ ଧାରଣାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ ।

ବଲାଙ୍ଗିର : ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପସିଲେ ଆନ୍ଦୋଳନକାରୀ । କାର୍ଯ୍ୟଳୟ ଭିତରେ ଆନ୍ଦୋଳନକାରୀ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ପିକେଟିଂ କରି ଧାରଣା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ ତାକୁ ବନ୍ଦ କରିଛନ୍ତି । ରେଳ ଷ୍ଟେସନକୁ ଯାଇ ଟ୍ରେନ ସମ୍ମୁଖରେ ପୋଷ୍ଟର ବ୍ୟାନର ଧରି ଧାରଣା ଓ ନାରାବାଜି ଦେଇଥିଲେ ଆନ୍ଦୋଳନାରୀ ।

ନବରଙ୍ଗପୁର : ପ୍ରବଳ ବର୍ଷା ସତ୍ୱେ ନବରଙ୍ଗପୁରରେ ଭାରତ ବନ୍ଦ ପାଳନ । କୃଷି ଆଇନ ବିରୋଧରେ କୃଷକ ସଂଘର ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥମ ମିଳିଛି । ଜିଲ୍ଲାର ବିଭିନ୍ନ ଛକ ସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନକାରୀ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପ୍ରତିବାଦକାରୀମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଉଥିବା ଦେଖାଯାଉଛି । ରାସ୍ତା ଅବରୋଧ ଫଳରେ ସହର ମଧ୍ୟଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ଅନ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନକାରୀ କୃଷକଙ୍କ ସହିତ ସାମିଲ ହୋଇଛନ୍ତି ।

ବାରିପଦା : ଭାରତ ବନ୍ଦର ପ୍ରଭାବ ବାରିପଦା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହରର ଏକ ପେଟ୍ରୋଲ ପମ୍ପ ଖୋଲାଥିଲା । ଏହି ସମୟରେ କିଛି ଆନ୍ଦୋଳନକାରୀ ଗାଡିରେ ଆସି ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । ଆନ୍ଦୋଳନକାରୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସମର୍ଥକ ବୋଲି ଜଣାପଡିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଦିଆଯାଇଥିବା ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି ।