ସହରର ଚାକଚକ୍ୟକୁ ଭୁଲି ଗାଁ’କୁ ଫେରିଛନ୍ତି ଅବସରପ୍ରାପ୍ତ କୁଳପତି । ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ

117

କନକ ବ୍ୟୁରୋ: ଅନେକ ଲୋକ ନିଜ ଗାଁକୁ ସଂପୂର୍ଣ୍ଣ ରୂପେ ଭୁଲିଯାଇ ସହରରେ ବାସ କରିଥାଆନ୍ତି । ଏପରି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଭଳି ନିପଟ ମଫସଲରେ ରହି ଚାଷ କାମ ସାଙ୍ଗକୁ ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ମନବଢାଇଛନ୍ତି ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ । ସହରର ଚାକଚକ୍ୟ, ଉଚ୍ଚ ଅଟାଳିକାକୁ ତୁଛ କରି ଗାଁକୁ ଫେରିଛନ୍ତି  । ୫୫ ବର୍ଷର ସହରୀ ଜୀବନରୁ ମୋହ ତୁଟାଇ ପୁଣି ଗାଁକୁ ଫେରି ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛନ୍ତି।  ଝାରସୁଗୁଡ଼ା ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂର କୁଅଁରମାଲ ଗାଁର ମୂଳବାସିନ୍ଦା ପ୍ରଫେସର ଧ୍ରୁବରାଜ ନାଏକ । ୩୬ ବର୍ଷର ଶିକ୍ଷାଦାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦ ସହ ୨୦୦୧ରେ ଅବସର ଗ୍ରହଣ କରିଛନ୍ତି । ସେ ଚାହିଁଥିଲେ କେଉଁ ଏକ ବଡ଼ ସହରର ଚାକଚକ୍ୟ ବହୁତଳ କୋଠାରେ ଆଡ଼ମ୍ବର ପୂର୍ଣ୍ଣ ଜୀବନ ଜିଇଁ ପାରିଥାନ୍ତେ କିନ୍ତୁ ମାଟି ମମତାର ମୋହ ତାଙ୍କୁ ଟାଣି ଆଣିଛି ଏନ୍ତୁଡିଶାଳକୁ ।

୮ ବର୍ଷ ବୟସରେ ଗାଁ ଛାଡିଥିଲେ..
୬୩ ବର୍ଷ ପରେ ଗାଁକୁ ଫେରିଲେ..

ତୃତୀୟରେ ପାଠ ପଢିବା ବେଳେ ଗାଁ ଛାଡିଥିବା ପୁଅ, କୁଳପତି ଭାବେ ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ଗାଁକୁ ଫେରିଛନ୍ତି। ଆଉ ଏବେ ଗାଁରେ ରହି ଚାଷ କରିବା ସହ ବିରଳ ଜୈବ ମଣ୍ଡଳ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଜଣେ ସଫଳ ଶିକ୍ଷାବିତ୍ । ଝାରସୁଗୁଡ଼ା ଲଇକେରା ବ୍ଲକ ବାବୁଛିପିଡିହି ପଂଚାୟତ ଓ କିର୍ମିରା ବ୍ଳକ ଝାରମୁଣ୍ଡା ପଂଚାୟତର ପନ୍ଦର ଖଣ୍ଡ ଗାଁକୁ ଘେରି ରହିଛି । ସଂରକ୍ଷଣ ଅଭାବରୁ ଏହି ଜଙ୍ଗଲ ନଷ୍ଟ ହୋଇଯାଉଥିଲା । ବୈଜ୍ଞାନିକ ଢ଼ଙ୍ଗରେ ଏହାର ପୁନଃରୁଦ୍ଧାର ପାଇଁ ପରିଚାଳନା କରୁଛନ୍ତି ଜୀବ ବିଜ୍ଞାନୀ ଧ୍ରୁବରାଜ ନାୟକ ।

ଏଭଳି ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ସେ ‘ପ୍ରକୃତି ମିତ୍ର’ ‘କୃତି କୃଷକ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ଆଉ ଆଜିର ସମାଜରେ ପାଠ ପଢି ଚାକିରି କି ବ୍ୟବସାୟ କରି ସହର ମୁହାଁ ହେଉଥିବା ଯୁବପୀଢିଙ୍କ ମନରେ ଗାଁ ପ୍ରୀତି ଭରିବା କ୍ଷେତ୍ରରେ ଉଦାହାରଣ ସାଜିଛନ୍ତି ପ୍ରଫେସର ଧ୍ରୁବରାଜ ।