ଭାରତୀୟ ରେଳର ଏ କି ଅବସ୍ଥା ! ଅଧିକ ଯାତ୍ରୀ ଚଢ଼ିଲେ ବୋଲି ବୋଝ ସମ୍ଭାଳିପାରିଲାନି ଇଞ୍ଜିନ, ଯାତ୍ରୀଙ୍କୁ ଗୋଟି ଗୋଟି କରି ପଦାକୁ ବାହାରକଲେ ସୁରକ୍ଷାକର୍ମୀ

79

ଟ୍ରେନର ସାଧାରଣ ବଗିରେ ଯିଏ ଯାତ୍ରା କରିଛି ସେ ଜାଣିଛି ଟ୍ରେନ ଯାତ୍ରା କେତେ ସଂର୍ଘଷପୂର୍ଣ୍ଣ । ସାଧାରଣ ବଗିରେ ଗୋଟିଏ ଗୋଟିଏ ସିଟ୍ ପାଇବା ପାଇଁ କେତେ ଯେ କସରତ କରିବାକୁ ପଡ଼େ ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ଜାଣିଥିବ । କିନ୍ତୁ ଅଧିକ ଯାତ୍ରୀଙ୍କ ପାଇଁ ରେଳବଗି ଦବିଯିବା ଭଳି ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ତାହା ବି ପୁଣି ଦେଶର ରାଜଧାନୀ ଦିଲ୍ଲୀରେ । ନୂଆଦିଲ୍ଲୀରୁ ପାଟନା ମଧ୍ୟରେ ଚାଲୁଥିବା ସମ୍ପୂର୍ଣ୍ଣକ୍ରାନ୍ତି ଏକ୍ସପ୍ରେସରେ ମଙ୍ଗଳବାର ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ନୂଆଦିଲ୍ଲୀର ରେଲୱେ ଷ୍ଟେସନରେ ସାଧାରଣ ବଗିରେ ଅଧିକ ସଂଖ୍ୟକ ଯାତ୍ରୀ ଚଢ଼ିବା ଦ୍ୱାରା ଟ୍ରେନ ଗଡ଼ି ପାରିନଥିଲା ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସବୁଦିନ ଭଳି ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ ବିହାର ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଉଥିଲା । ଗାଡ଼ିର ପ୍ରତ୍ୟେକ ବଗିରେ ଯାତ୍ରୀଙ୍କର ଖଚାଖଚ ଭିଡ଼ ରହିଥିଲା । ଠିକ୍ ୫.୨୫ ମିନିଟରେ ଟ୍ରେନ ଗଡ଼ିବା ପୂର୍ବରୁ ରେଳ କର୍ମଚାରୀ ଟ୍ରେନକୁ ଅଟକାଇଥିଲେ । ଟ୍ରେନର ରୁଟିନ ଯାଞ୍ଚ କରିବା ବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଟ୍ରେନ କର୍ମଚାରୀ । କାରଣ ଟ୍ରେନର ସ୍ପ୍ରିଙ୍ଗ ସମ୍ପୂର୍ଣ୍ଣ ଭାବେ ଦବି ଯାଇଥିଲା । ଏଭଳି ସ୍ଥିତି ଦେଖି ରେଳ ବିଭାଗର ମେକାନିକାଲ ଇଞ୍ଜିନିୟର ଟ୍ରେନକୁ ଆଗକୁ ଗଡ଼ିବାକୁ ଅନୁମତି ଦେଇନଥିଲେ ।
ଏହାପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଅପରେସନ କ୍ଲିନ । ବଗିରୁ ୧୦୦ରୁ ୧୧୫ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରି ବଗିକୁ ଖାଲି କରାଯାଇଥିଲା । ଏହି ପ୍ରକିୟା ପୂରଣ କରିବାକୁ ଦୁଇଘଣ୍ଟା ସମୟ ଳାଗିଥିଲା । ପରେ ୭.୧୫ ମିନିଟରେ ବଗିକୁ ଠିକ୍ କରିବା ପରେ ବିହାର ଅଭିମୁଖେ ବାହାରିଥିଲା ଟ୍ରେନ । ରେଳ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଏଭଳି ଅବସ୍ଥାରେ ଟ୍ରେନକୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ଟ୍ରେନଟି ରେଳଧାରଣାରୁ ଖସିଯିବାର ସମ୍ଭାବନା ରହିଥିଲା । ତେଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ ଖାଲି କରାଯାଇ ମରାମତି କରିବା ପରେ ଛଡ଼ାଯାଇଥିଲା ।

ବିହାରକୁ ଯାଉଥିବା ଅଧିକାଂଶ ଟ୍ରେନରେ ଆବଶ୍ୟକତା ଠାରୁ ମଧ୍ୟ ଅଧିକ ଯାତ୍ରୀ ଯାତ୍ରା କରିଥାନ୍ତି । ଏପରିକି ଜରିମାନା ଦେଉଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ତାହା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ବିହାରକୁ ଯାଉଥିବା ଟ୍ରେନରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରାଯିବ । ଯାହାଫଳରେ ଭବିଷ୍ୟତରେ କ୍ଷମତା ଠାରୁ ଅଧିକ ଲୋକ ଉଠିପାରିବେ ନାହିଁ ।