କରୋନା ପାଇଁ ରାଜ୍ୟରେ ବଢୁଛି ନମୁନା ପରୀକ୍ଷା : ୨୪ ଘଂଟାରେ ରେକର୍ଡ ୬୮ ହଜାର ୯୦ ନମୁନା ପରୀକ୍ଷା, ୬୦ ହଜାର ୬୮୬ ଆଂଟିଜେନ ଓ ୭ ହଜାର ୨୮୮ ଆରଟିପିସିଆର; ଗଞ୍ଜାମରେ ସର୍ବାଧିକ ପରୀକ୍ଷା

148

କନକ ବ୍ୟୁରୋ : ଉପରମୁହାଁ ହେଉଛି କରୋନା ଗ୍ରାଫ । ଆଉ କରୋନା ମୁକାବିଲା ପାଇଁ ରାଜ୍ୟରେ ଟେଷ୍ଟିଂ ସଂଖ୍ୟାକୁ ବଢାଉଛନ୍ତି ରାଜ୍ୟ ସରକାର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮ହଜାର ୯୦ଟି ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୬୦ ହଜାର ୬୮୬ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୭ ହଜାର ୨୮୮ ଆରଟିପିସିଆର ଟେଷ୍ଟ ହୋଇଛି । ଗଂଜାମରେ ସର୍ବାଧିକ ୧୦ ହଜାର ୭୧୯ ପରୀକ୍ଷା କରାଯାଇଛି ।

ତା’ତଳକୁ ମୟୁରଭଞ୍ଜ ଜିଲ୍ଲାରେ ୮୭୪୪ଟି , କେନ୍ଦ୍ରାପଡ଼ା ଜିଲ୍ଲାରେ ୮୦୦୩ଟି, କେନ୍ଦୁଝର ଜିଲ୍ଲାରେ ୬୬୩୨ଟି, ଯାଜପୁର ଜିଲ୍ଲାରେ ୧୩୮୪ଟି, ଝାରସୁଗୁଡ଼ା ଜିଲ୍ଲାରେ ୧୬୪୪ଟି ଓ ଜଗତସିଂହପୁର ଜିଲ୍ଲାରେ ୨୧୨ଟି କରୋନା ନମୁନା ପରୀକ୍ଷା ହୋଇଥିବାର ଜଣାଯାଇଛି। ଆଜି ସୁଦ୍ଧା ୧୪ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା ହୋଇ ସରିଥିବା କୁହାଯାଉଛି ।

ଏଣେ ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଥିବା ନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଲାବୋରାଟୋରି ଟେକନିସିଆନ୍ ଟିମକୁ ଧନ୍ୟବାଦ ଦେଇଛନ୍ତି| ଏହାଛଡ଼ା ସେ ବିଡିଓ ଟିମର ବି ପ୍ରଶଂସା କରିଛନ୍ତି।