କମନୱେଲଥ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ପୁଅ । ଭାରତ୍ତୋଳନକାରୀ ବିଭାଗରେ ହାତେଇଲେ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛାର ସୁଅ ।

185

କନକ ବ୍ୟୁରୋ: ସାଉଥ୍ ପେସିଫିକ୍ ‘ସାମୋଆ’ ଦ୍ୱୀପରେ ଚମକିଲେ ଓଡ଼ିଆ ଯୁବକ । କମନୱେଲଥ ଚାମ୍ପିୟନସିପ ୨୦୧୯ରେ ଭାରଉତ୍ତୋଳନକାରୀ କ୍ରୀଡ଼ାରେ ସ୍ୱର୍ଣ୍ଣ ହାସଲ କରିଛନ୍ତି ମାଲକାନଗିରିର ଦୁର୍ଗମ ଅଞ୍ଚଳର ଭକ୍ତରାମ ଦେସ୍ତି । ୨୦ ବର୍ଷୀୟ ଭକ୍ତରାମ ମାଲକାନଗିରି ଜିଲ୍ଲାର ଚିତ୍ରୋକୋଣ୍ଡ ଅଧିନସ୍ତ ଆରଏସସି-୪ ଗ୍ରାମର ବାସିନ୍ଦା । ଗତ ଜୁଲାଇ ୭ତାରିଖରୁ ସାମୋଆ ଦ୍ୱୀପରେ ଆୟୋଜିତ ହୋଇଥିବା କମନୱେଲଥ ଚାମ୍ପିୟନସିପ୍ ପ୍ରତିଯୋଗିତାର ୪୯ କେଜି କାଟାଗୋରୀରେ ୧୮୫ କେଜି ଭାରତ୍ତୋଳନ କରି ସ୍ୱର୍ଣ୍ଣ ହାତେଇଛନ୍ତି ଏହି ଦୁର୍ଗମ ଅଞ୍ଚଳ ଭକ୍ତରାମ ଦେସ୍ତି ।

ସୂଚନା ମୁତାବକ, ଗତବର୍ଷ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ମଧ୍ୟ ସେ ଓଡ଼ିଆ ଭାରତ୍ତୋଳନକାରୀ ଭାବେ ସ୍ୱର୍ଣ୍ଣ ହାତେଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ଖାଲି ଏତିକି ନୁହେଁ ୨୦୧୬ରେ ମଧ୍ୟ ଆନ୍ଧ୍ରପ୍ରଦେଶରେ ହୋଇଥିବା ୬୨ତମ ଜାତୀୟ ସ୍କୁଲ ପ୍ରତିଯୋଗିତା ଭାଗନେଇଥିଲେ । ତେବେ ଭକ୍ତରାମଙ୍କୁ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରୁ ୨୦୧୪ରେ ଚୟନ କରିଥିଲା ଭାରତୀୟ ଆଥଲେଟ୍ ଟିମରେ ସ୍ଥାନ ମିଳିଥିଲା । ଏହାପରେ ଖୁବ୍ କମ୍ ବୟସରେ ଗୋଟିଏ ପରେ ଗୋଟିଏ ଗୌରବ ଅର୍ଜନ କରିଚାଲିଛନ୍ତି ଭକ୍ତରାମ ।

ସେପଟେ ମାଲକାନଗିରି ଏକ ଛୋଟିଆ ଚାଷୀ ପରିବାରରୁ ଆସିଥିବା ଭକ୍ତରାମ ‘ସାମୋଆ’ରେ ସ୍ୱର୍ଣ୍ଣ ପଦକ ହାତେଇ କେବଳ ଓଡ଼ିଶାକୁ ନୁହେଁ ବରଂ ଦେଶକୁ ଗୌରାବନ୍ୱିତ କରିଛନ୍ତି । ଆଉ ତାଙ୍କର ଏଭଳି ସଫଳତା ପାଇଁ ଏବେ ଅନେକ ମହଲରୁ ଶଭେଚ୍ଛାର ସୁଅ ଛୁଟିଛି ।