୨୭ରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ: ପରିକ୍ରମା ଢାଞ୍ଚାରେ ଚାଲିଛି ଆୟୋଜନ, ସମଲେଇ ମା’ଙ୍କୁ ସିନ୍ଦୂର ଦେବେ ଭକ୍ତ

244

କନକ ବ୍ୟୁରୋ: ଆସନ୍ତା ୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ଏହାକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଜୋରଦାର ପସ୍ତୁତି ଚଳାଇଛି ସମଲେଇ ମନ୍ଦିର ଟ୍ରଷ୍ଟ । ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ପ୍ରତି ପଂଚାୟତରେ ଲାଇଭ କରିବା ଏବଂ ୨୭ତାରିଖ ପରେ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ପ୍ରକଳ୍ପ ବୁଲାଇବାକୁ ଯୋଜନା ରଖିଛନ୍ତି ସରକାର । ଯାହାକୁ ନେଇ ଲୋକାର୍ପଣ ନାଁରେ ସରକାର ରାଜନୀତି କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି ।

ଜଗନ୍ନାଥଙ୍କ ପରେ ମା ସମଲେଇ । ଯେଉଁଭଳି ମହାପ୍ରଭୁ ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ଲୋକାର୍ପଣ ହୋଇଥିଲା, ଠିକ ସେହି ଢାଂଚାରେ ସମଲେଇ ପ୍ରକଳ୍ପର ଲୋକର୍ପଣ ଉତ୍ସବକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ଜୋରାଦାର ପସ୍ତୁତି ଆରମ୍ଭ କରିଛି ସମଲେଇ ମନ୍ଦିର ଟ୍ରଷ୍ଟ । ରାଜ୍ୟର ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ ପଠାଇବା ସହ, ପୁରା ପଶ୍ଚିମ ଓଡିଶାରେ ଧର୍ମୀୟ ଭାବନାର ସ୍ରୋତ ବୁହାଇବା ଲାଗି ଆୟୋଜନ ଚାଲିଛି ।

– ଗାଁ ଗାଁରେ ପ୍ରଚାର ହେବ ମା’ ସମଲେଇଙ୍କ ମହିମା
– ଶ୍ରଦ୍ଧାଳୁଙ୍କ ଠାରୁ ସଂଗ୍ରହ ହେବ ଗୁଆ, ସିନ୍ଦୁର
– ସଂଗ୍ରହ ହୋଇଥିବା ସିନ୍ଦୁର ମା’ଙ୍କ ପାଖରେ ଲାଗି ହେବ
– ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ
– ସ୍ୱତନ୍ତ୍ର ମହାନଦୀ ଆଳତୀ ସହିତ ହୋମ- ଯଜ୍ଞର ଆୟୋଜନ କରାଯାଇଛି
– ରାଜ୍ୟର ଦେବାଦେବୀ ପୀଠରୁ ସେବାୟତ ଓ ବ୍ରାହ୍ମଣ ଏଥିରେ ସାମିଲ କରାଯିବ
– ଅନେକ ସାଧୁ- ସନ୍ଥ ଲୋକାର୍ପଣ ଉତ୍ସବରେ ଅତିଥୀ ହେବେ

୨୭ରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ପଂଚାୟତରେ ଏଲଇଡି ମାଧ୍ୟମରେ ସମଲେଇ ପ୍ରକଳ୍ପ ଲୋକର୍ପଣ ଉତ୍ସବର ଲାଇଭ ଦେଖିବେ ଭକ୍ତ । ଏଥିସହ ସମଲେଇ ପ୍ରକଳ୍ପ ଲୋକର୍ପଣ ପରେ ପର୍ଯ୍ୟାୟ କ୍ରମେ ଭକ୍ତଙ୍କୁ ସମଲେଇ ପ୍ରକଳ୍ପ ବୁଲାଇ ଦେଖାଇବାକୁ ଯୋଜନା କରିଛନ୍ତି ସରକାର । ତେବେ ସରକାରଙ୍କ ଏହି ଧର୍ମୀୟ ଭାବ ପ୍ରବଣତା ଭିତରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି ଲୋକାର୍ପଣ ନାଁରେ ରାଜନୀତି କରୁଛନ୍ତି ସରକାର । ଜବାବରେ ବିଜେଡି କହିଛି ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି ସରକାର । ଜାନୁୟାରୀ ୬ ତାରିଖରୁ ରାଜ୍ୟ ଭିତର ତଥା ରାଜ୍ୟ ବାହାରର ବିଭିନ୍ନ ମନ୍ଦିରକୁ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।