କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଜୋରଦାର ହେଉଛି ପ୍ରଚାର । ପ୍ରଚାର ମୈଦାନରେ ଦେଖିବାକୁ ମିଳୁଛି ରୋଚକ ଦୃଶ୍ୟ । ପ୍ରାର୍ଥୀ କେଉଁଠି ଜିଅଁନ୍ତା ମାଛ ଧରି ପ୍ରଚାର କରୁଛନ୍ତି ତ ଆଉ କେଉଁଠି ଟ୍ରଲିରେ ବସି ନିଜେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ଢଙ୍ଗରେ ପ୍ରଚାର କରୁଛନ୍ତି । ଠିକ୍ ଏହିଭଳି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ବିନ୍ଧା ପଞ୍ଚାୟତରୁ ।
ବିଷ୍ଣୁପୁର ବିନ୍ଧା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଧନେଶ୍ୱର ନାଥ ହାତରେ କେଟିଲ ଧରି ଲୋକଙ୍କୁ ଚା’ ବାଣ୍ଟି ପ୍ରଚାର କରୁଛନ୍ତି ଧନେଶ୍ୱର । ଲୋକଙ୍କୁ ନିଜ ଚିହ୍ନ ସହ ପରିଚିତ କରିବା ପାଇଁ ଏଭଳି ଅଭିନବ ଉପାୟରେ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଧନେଶ୍ୱର ନାଥ । ସେ କହିଛନ୍ତି, ପ୍ରତିଦିନ ସଂଧ୍ୟାବେଳେ ଲୋକଙ୍କୁ ମୁଁ ଏହିଠାରେ ଚା’ ବାଣ୍ଟୁଛି । କାରଣ ମୋର ଚିହ୍ନ ରହିଛି କେଟିଲ । ଲୋକଙ୍କୁ ମୋ ଚିହ୍ନ ସହ ପରିଚିତ କରାଇବା ପାଇଁ ଏବଂ ମତେ ଭୋଟ ଦେବା ପାଇଁ ଏଭଳି ଉପାୟରେ ମୁଁ ପ୍ରଚାର କରୁଛି । ମୁଁ ପୂର୍ବରୁ ଲୋକଙ୍କ ସୁଖ ଦୁଃଖରେ ଛିଡାହୋଇଆସିଛି । ତେଣୁ ମୋର ବିଶ୍ୱସ ଜନତା ମତେ ନିଶ୍ଚୟ ଭୋଟ ଦେଇ ଜୟଯୁକ୍ତ କରାଇବେ ।
ସେହିଭଳି ଲୋକେ କହିଛନ୍ତି, ଧନେଶ୍ୱର ବାବୁ ଆମ ଅଞ୍ଚଳବାସୀଙ୍କ ଦୁଃଖରେ ସୁଖରେ ଛିଡା ହୋଇଛନ୍ତି । ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି । ସକାଳ ହେଲେ ବଜାରକୁ ଆସନ୍ତି, ଲୋକଙ୍କ ଭଲମନ୍ଦ ପଚାରି ବୁଝନ୍ତି । ତେଣୁ ଆମେ ନିସ୍ପତି କରିଛୁ ଧନେଶ୍ୱରଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବୁ ।
ହାତରେ କେଟିଲ ଧରି, ଲୋକଙ୍କୁ ଚା’ ବାଣ୍ଟି ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ । ନିଜ ଚିହ୍ନ ସହ ଲୋକଙ୍କୁ ପରିଚିତ କରିବା ପାଇଁ ଧନେଶ୍ୱରଙ୍କ ନିଆରା ପ୍ରୟାସ
/kanak/media/post_attachments/wp-content/uploads/2022/01/19-39.jpg)