ନୱାବଙ୍କୁ ପାଲଟା ଆକ୍ରମଣ । ୱାଙ୍ଖଡେଙ୍କ ବାପା କଲେ ମାନହାନୀ କେସ୍

133

କନକ ବ୍ୟୁରୋ: ଡ୍ରଗ୍ସ ମାମଲାକୁ ନେଇ ତୁଟୁନି ବାକ୍ ଯୁଦ୍ଧ । ଏନସିବିର ଗୁରୁତ୍ୱପୂର୍ଣ୍ଣ ପଦରୁ ସମୀର ୱାଙ୍ଖଡେଙ୍କୁ ହଟାଯିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ୱାଙ୍ଖଡେଙ୍କ ବାପା । ୱାଙ୍ଖଡେଙ୍କ ବାପା ଧ୍ୟାନଦେବ ୱାଙ୍ଖଡେ ନୱାବ ମଲ୍ଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନୀ କେସ୍ କରିଛନ୍ତି । ନୱାବ ସୋସିଆଲ ମିଡିଆରେ ୱାଙ୍ଖଡେଙ୍କ ପରିବାରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଜାତି ଉପରେ ପ୍ରଶ୍ନ ଉଠାଇ ଅଯଥା ବଦନାମ କରୁଛନ୍ତି ।

ୱାଙ୍ଖଡେଙ୍କ ଓକିଲ ଅର୍ଶଦ ଶେଖଙ୍କ କହିବା ମୁତାବକ, ନୱାବ ମଲିକ୍ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ୍ ବୋଲି କହୁଛନ୍ତି ।ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଇ ସେ ହିନ୍ଦୁ ନୁହଁନ୍ତି ବୋଲି କହୁଛନ୍ତି । ଏହି ଟିପ୍ପଣୀ ବାରମ୍ବାର ଗଣମାଧ୍ୟମରେ ଦେଉଛନ୍ତି । ଏହାଦ୍ୱାରା କେବଳ ୱାଙ୍ଖଡେଙ୍କ ପରିବାର ମାନସିକ ଚାପରେ ରହୁଛନ୍ତି ତାହା ନୁହେଁ ବରଂ ତାଙ୍କ ଝିଅ ଅର୍ଥାତ ସମୀରଙ୍କ ଭଉଣୀ ୟାସ୍ମିନଙ୍କ କ୍ୟାରିଅର ମଧ୍ୟ ପ୍ରଭାବିତ ହେଉଛି । ପରିବାର ସଦସ୍ୟଙ୍କ ନାଁ, ଚରିତ୍ର , ଓ ସାମାଜିକ ଛବିକୁ ବିଗାଡିଛନ୍ତି । ମଲ୍ଲିକ ଓ ତାଙ୍କ ପାର୍ଟି ନେତା ଓ ଅନ୍ୟମାନେ ୱାଙ୍ଖଡେଙ୍କ ପରିବାର ବିରୋଧରେ ଆପତ୍ତିଜନକ ଓ ମାନହାନୀକାରକ କଥା ଲେଖୁଛନ୍ତି । ତେଣୁ ଏହାକୁ ନେଇ ନୱାବ ମଲ୍ଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧.୨୫ କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିଛନ୍ତି ସମୀର ୱାଙ୍ଖଡେଙ୍କ ବାପା ।

ଧ୍ୟାନଦେବ ୱାଙ୍ଖଡେ ନିଜ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି ଯେ, ସମୀରଙ୍କ ଉପରେ ନୱାବଙ୍କ ଏହି ବାକ୍ୟବାଣ ପ୍ରୟୋଗ ନବାବଙ୍କ ଜ୍ୱାଇଁଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିବା ପରେ ଆରମ୍ଭ ହୋଇଛି । ଆରୟନଙ୍କ ମାମଲା ପରେ ଏହି ଆକ୍ରମଣ ଉଗ୍ର ରୂପ ନେଇଛି । ଧ୍ୟାନଦେବ ୱାଙ୍ଖଡେଙ୍କ ପୂର୍ବରୁ ବିଜେପି ନେତା ମୋହିତ କମ୍ବୋଜ ମଧ୍ୟ ନୱାବ ମଲ୍ଲିକଙ୍କ ଉପରେ ମାନହିନୀ କେସ୍ କରିଛନ୍ତି । ମୋହିତଙ୍କ ପରିବାରକୁ ବାରମ୍ବାର ଆରୋପ ପ୍ରତ୍ୟାରୋପ ଭିତରକୁ ଟାଣୁଥିବାରୁ ନୱାବଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ କେସ୍ କରିଛନ୍ତି ।