ଡ୍ରଗ୍ସ ମାମଲାରେ ୱାଙ୍ଖଡେଙ୍କୁ ଟାର୍ଗେଟ : କହିଲେ ‘ଟ୍ୱିଟରରେ ମୋ ପରିବାରର ଗୋପନୀୟତା ଭଙ୍ଗ କରାଯାଉଛି’

167

କନକ ବ୍ୟୁରୋ: ଟାର୍ଗେଟରେ ଏନସିବି ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ସମୀରଙ୍କର ଏକ ଜାଲ ଜନ୍ମ ପ୍ରମାଣ ପତ୍ର ଟ୍ୱିଟରରେ ସେୟାର କରିବା ପରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ସମୀର । ସମୀର କହିଛନ୍ତି ଯେ, ଏପରି କରି ତାଙ୍କର ପାରିବାରିକ ଗୋପନୀୟତାକୁ ଭଙ୍ଗ କରାଯାଇଛି । ଏହା ସହ ତାଙ୍କର ମାନହାନୀ କରାଯାଇଛି । ଏହା ଦ୍ୱାରା ତାଙ୍କର ପୁରା ପରିବାର ମାନସିକ ଚାପରେ ରହିଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମୀର , ନବାବ ଟ୍ୱିଟ କରିଥିବା ଜାଲ ଜନ୍ମ ପତ୍ର ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି । ସେ ଏକ ବହୁଧାର୍ମୀକ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଜ୍ଞାନଦେବ କଚରୁଜୀ ୱାଙ୍ଖଡେ ଜଣେ ସେବାନିବୃତ୍ତ ପୋଲିସ୍ ଅଧିକାରୀ । ସେ ଜଣେ ହିନ୍ଦୁ । ତାଙ୍କ ମା’ ଜହୀଦା ଜଣେ ମୁସଲମାନ ସଂପ୍ରଦାୟର । ତାଙ୍କ ପରିବାର ଏକ ଧର୍ମନୀରପେକ୍ଷ ପରିବାର ଯେଉଁଠାରେ ଭାରତୀୟ ପରମ୍ପରାକୁୁ ସମ୍ମାନ ଦିଆଯାଏ ।

ଏପରିକି ସମୀର ନିଜର ପ୍ରଥମ ପତ୍ନୀଙ୍କ ବିଷୟରେ ମଧ୍ୟ କହିଥିଲେ । ସମୀର ପ୍ରଥମେ ୨୦୦୬ରେ ଜଣେ ମୁସଲମାନ ମହିଳା ଡ. ଶବାନା କୁରୈସୀଙ୍କୁ ବିବାହ କରିଥିଲେ । ହେଲେ କୌଣସି କାରଣରୁ ୨୦୦୬ରେ ତାଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ୨୦୧୭ରେ କ୍ରାନ୍ତି ଦୀନାନାଥ ରେଡକରଙ୍କୁ ବିବାହ କରିଥିଲେ ।
ସୂଚନା ମୁତାବକ, ଆରୟନ ଡ୍ରଗ୍ସ ମାମଲାରେ ପ୍ରଥମରୁ ହିଁ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କ ସମ୍ମାନ ହାନୀ କରିବାକୁ ଚେଷ୍ଟା କରିଆସୁଛନ୍ତି । ବର୍ଷକ ମଧ୍ୟରେ ସମୀର ନିଜ ପଦବୀ ହରାଇପାରନ୍ତି ବୋଲି ନବାବ ଚେତାବନୀ ମଧ୍ୟ ଦେଇଥିଲେ । ପୂର୍ବରୁ ଡ୍ରଗ୍ସ ମାମଲାରେ ନବାବଙ୍କ ଜ୍ୱାଇଁଙ୍କୁ ଗିରଫ କରିଥିବାରୁ ସମୀରଙ୍କ ଉପରେ ରାଗ ରଖି ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସମୀର ।