ସରକାର ମାନିଲେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ପୁସ୍ତିକାରେ ଦିଆଯାଇଥିଲା ଭୁଲ ତଥ୍ୟ । ଗୃହରେ ବିବୃତ ରଖିଲେ ଗଣଶିକ୍ଷା ମନ୍ତ୍ରୀ । କହିଲେ, ବିଭ୍ରାନ୍ତି କରିବା ନଥିଲା ଉଦେଶ୍ୟ

ଗୃହରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଏହା ଉଦେଶ୍ୟମୂଳକ ନଥିଲା

8,569
କନକ ବ୍ୟୁରୋ: ଆଜି ଗାନ୍ଧୀଙ୍କୁ ନେଇ ବିଧାନସଭା ଭିତରେ ଓ ବିଧାନସଭା ବାହାରେ ସରଗରମ ହୋଇଥିଲା ରାଜନୀତି । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ଏପଟେ ଗଣଶିକ୍ଷା ବିଭାଗର ପୁସ୍ତିକାରେ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଙ୍କ ଦେହାବସାନ ହୋଇଥିବା ଲେଖାକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ହେବା ପରେ ଆଜି ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଗୃହରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଏହା ଉଦେଶ୍ୟମୂଳକ ନଥିଲା । ପୁସ୍ତିକାକୁ ପ୍ରତ୍ୟାହାର କରାଯିବା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେବାରୁ ନିବୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ମାସକ ଭିତରେ ନୂଆ ପୁସ୍ତିକା ଛପାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଏ ନେଇ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଗତକାଲି ବିଧାନସଭାରେ  ଏହି  ପ୍ରସଙ୍ଗରେ ଶାସକ ଦଳକୁ ଘେରିଥିଲେ ବିରୋଧୀ । ଏହା ପରେ ବାଚସ୍ପତି ରୁଲିଂ ଦେବା ସହ ଗୃହରେ ମନ୍ତ୍ରୀଙ୍କୁ  ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଗଣଶିକ୍ଷା ମନ୍ତ୍ରୀ ବିବୃତି ଦେଇ ଏହା ଉଦ୍ଦେଶ୍ୟମୂଳକ ନୁହେଁ ବୋଲି କହିଛନ୍ତି । ସବୁଠୁ ବଡ଼ କଥା ହେଉଛି, ୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଏକ କୋଟିରୁ ଅଧିକ ପୁସ୍ତିକା ଛପାଯାଇଥିଲା । ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର । ଭୁଲ ତଥ୍ୟ ଦେଇ ପିଲାଙ୍କୁ ବିଭ୍ରାନ୍ତି କରିବା ସହ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ ହୋଇଛି ।