କନକ ବ୍ୟୁରୋ: ଓଡିଶା କ୍ରୀଡାର ପ୍ରାଣକେନ୍ଦ୍ର ବାରବାଟୀ ଭିତରେ ପାର୍ଟି ପଲିଟିକ୍ସ ପଶିଛି। ରାଜ୍ୟରେ ସରକାର ବଦଳିବା ପରେ ବଦଳି ଯାଇଛି ବିଭିନ୍ନ ଆସୋସିଏସନର ରୂପରେଖ। ଫୁଟବଲ ଆସୋସିଏସନର ସଭାପତି ବଦଳିଛନ୍ତି। ଫାଓର ନୂଆ ସଭାପତି ହୋଇଛନ୍ତି ସମୀର ଦେ। ଆଉ ଏହାରି ଭିତରେ ଆଗକୁ ଓସିଏର ସଭାପତି ବଦଳିବା ଚର୍ଚ୍ଚା ବି ଜୋର ଧରିଛି।

Advertisment
  • ପଦ ପାଉ ପାଉ ଗର୍ଜିଲେ ସମୀର
  • ଓସିଏ ସଭାପତି ପଦ ଛାଡିବାକୁ ବବିଙ୍କୁ ପରାମର୍ଶ

ଓଡିଶା ଫୁଟବଲ ଆସୋସିଏସନର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ଓସିଏ ସଭାପତି ବବି ଦାସଙ୍କ ବିରୋଧରେ ଗର୍ଜିଛନ୍ତି ସମୀର ଦେ । ନୈତିକତାର ପାଠ ପଢ଼ାଇ ସେ ଓସିଏ ସଭାପତି ପଦରୁ ଓହରି ଯିବା ଦରକାର ବୋଲି କହିଛନ୍ତି। ଲଳିତେନ୍ଦୁ ବିଦ୍ୟଧର ମହାପାତ୍ର ଆସିଲେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି। ଏଥିସହ ବବିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଛନ୍ତି ସମୀର ଦେବ।

  • ପକ୍ଷ ବଦଳାଇରେ ଆଶୀର୍ବାଦ
  • ବିଜେଡି ବଦଳରେ ବିଜେପିକୁ ସମର୍ଥନ

ପୂର୍ବରୁ ବିଜେଡିକୁ ସମର୍ଥନ କରି ଆସୁଥିବା ଓସିଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରା, ସରକାର ବଦଳିବା ପରେ ପକ୍ଷ ପରିବର୍ତନ କରିଛନ୍ତି। ବିଜେଡି ବଦଳରେ ବିଜେପିକୁ ସମର୍ଥନ ଜଣାଇଛନ୍ତି। ଆଶୀର୍ବାଦ ବେହେରା କହିଛନ୍ତି, ବିନା ଅନୁଦାନରେ କ୍ରୀଡାର ବିକାଶ ହୋଇପାରିବ ନାହିଁ । ଏଣୁ କ୍ରୀଡା ସଂଗଠନ ଗୁଡିକ ସରକାରଙ୍କ ସହ ରହିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ, ୨୦୨୫ରେ ହେବ ଓସିଏ କର୍ମକର୍ତ୍ତା ନିର୍ବାଚନ। ସେହି ନିର୍ବାଚନରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରଣଜୀ ଖେଳାଳି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେପି ମଇଦାନକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଯଦି ବବି ଦାସ ଆଗୁଆ ସଭାପତି ପଦରୁ ଇସ୍ତଫା ଦିଅନ୍ତି ତାହେଲେ ରୂପରେଖ ବଦଳିପାରେ।