ଆସନ୍ତା ୨୬ରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା : ସ୍କୁଲ ଆସିବାକୁ ହେଲେ ଅଭିଭାବକଙ୍କ ଅନୁମତି ଆବଶ୍ୟକ

4,705

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଶିକ୍ଷକଙ୍କ ଟିକାକରଣକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ଶିକ୍ଷକଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦେବାକୁ କହିଛନ୍ତି ସମୀର ଦାସ । ଟିକାକରଣ ନେଇ ଡ଼ିଇଓ ମାନଙ୍କ ବୈଠକରେ କୁହାଯାଇଥିଲା ବୋଲି ସେ କହିଛନ୍ତି । ଅଧିକାଂଶ ଶିକ୍ଷକ ଟିକା ନେଇଗଲେଣି । ଯେଉଁମାନେ ବାକି ଅଛନ୍ତି ଦ୍ୱିତୀୟ ଡ଼ୋଜ ନେବା ଉପରେ ପ୍ରାଥମିକତା ରହିଛି । ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ହଷ୍ଟେଲ ଖୋଲିବାର ନିୟମାବଳି ମଧ୍ୟ ଜାରି କରାଯାଇଛି । ୟମିତ ବ୍ୟବଧାନରେ ହଷ୍ଟେଲ ମେସ୍‌, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବେ । ପର୍ଯ୍ୟାପ୍ତ ପରିମାଣର ସାବୁନ୍‌ ଓ ହ୍ୟାଣ୍ଡ ସାନିଟାଇଜର କ୍ୟାମ୍ପସରେ ଉପଲବ୍ଧ କରାଇବେ । ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ । ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତୃପକ୍ଷ ଦୃଷ୍ଟି ଦେବେ । ‌ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍‌ ରୁମ୍‌ ରହିବ । ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି, ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି ।