ସରକାରୀ ଓ ଶିଶୁ ମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ପ୍ରସଙ୍ଗ : ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ ତର୍ଜମା କରି ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି

268

କନକ ବ୍ୟୁରୋ : ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନିଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ନବୀନ ନିବାସ ଅଭିମୁଖେ ଯାଇଥିଲେ ।

ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବାକୁ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ଏହା ପରେ ପିଲାଙ୍କ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯାଇଛି ।

ସରକାରୀ ଓ ଶିଶୁ ମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ନେଇ ପତ୍ରିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି, ବାତିଲ ନେଇ ଚିଠି ଲେଖାଯାଇଛି । ମୁଖ୍ୟମନ୍ତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେବେ । ପରୀକ୍ଷା ବାତିଲ ହେବ କି ନାହିଁ ସେ ସବୁ ଦିଗରେ ତର୍ଜମା କରାଯାଉଛି । ବାତିଲ ହେଲେ ପିଲାଙ୍କୁ ମାର୍କ କେମିତି ଦିଆଯିବ ସେସବୁ ଦିଗରେ ସମୀକ୍ଷା କରାଯାଉଥିବା କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।