କରୋନା ଭୟ: ରାଜଧାନୀର ସବୁ ସ୍କୁଲରେ ବଂଟାଯିବ ପେପର ସୋପ୍; କ୍ୟାପିଟାଲ ହାଇସ୍କୁଲ ବୁଲି ସଚେତନ କରାଇଲେ ଗଣଶିକ୍ଷାମନ୍ତ୍ରୀ

497

କନକ ବ୍ୟୁରୋ: କରୋନା ସମ୍ପର୍କରେ ସଚେତନ କରିବାକୁ ମନ୍ତ୍ରୀ ବୁଲିଲେ ସ୍କୁଲ । ଛାତ୍ରଛାତ୍ରୀଙ୍କୁ ବାଂଟିଲେ ପେପର ସୋପ୍ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ଷ୍ଟ୍ରିପ୍ ବାଂଟିଛନ୍ତି । ତେବେ ଏନଜିଓ ଆଫୋର୍ଡ ସହାୟତାରେ ଏହା ବଂଟନ କରାଯାଇଛି । ପ୍ରଥମ କରି ଏହି ପେପର ସୋପ୍ ଷ୍ଟ୍ରିପ୍ କୁ କ୍ୟାପିଟାଲ ହସ୍ପିଟାଲରେ ବଂଟନ କରାଯାଇଛି । ଆଗକୁ ରାଜ୍ୟର ଅନ୍ୟ ସ୍କୁଲରେ ଏହାକୁ ବଂଟନ କରାଯିବ । ସ୍ୱଚ୍ଛତା ଅବଲଂବନ କଲେ କରୋନାକୁ ଅଧିକ ମୁକାବିଲା କରାଯାଇପାରିବ । ସେଥିପାଇଁ ବିଦ୍ୟାଳୟ ସ୍ତରରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଅଧିକ ସଚେତନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର ।

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଭୟର ବାତାବରଣ । ତେବେ ଓଡିଶାରେ କରୋନାକୁ ସେଭଳି କୌଣସି ମାମଲା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍କୁଲ ମାନଙ୍କୁ ଏକ ଆଡଭାଇଜରି ମଧ୍ୟ ଜାରି କରାଯାଇସାରିଛି । ଯଦି ସ୍କୁଲରେ କୌଣସି ପିଲାର ମୁଣ୍ଡବିନ୍ଧା, ଥଣ୍ଡା ଓ କାଶ ଆଦି ହେଲେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ସଂମ୍ପର୍କ କରିବାକୁ କୁହାଯାଇଛି । ପିଲାଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏଥିପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଧିକ ଭୟଭୀତ ହେବା ଉଚିତ ନୁହେଁ ପରାମର୍ଶ ଦେବା ସହ ଏନେଇ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୬୨କୁ ବୃଦ୍ଧି ହୋଇଛି । ବୁଧବାର କେରଳରେ ୮ ଜଣ ସନ୍ଦିଗ୍ଧଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ଗୁରୁବାର ଜଣେ ମହିଳାଙ୍କ ରିପୋର୍ଟ ବି ପଜିଟିଭ୍ ଆସିଛି । ସେପଟେ ବିହାରରେ ଆଉ ୪ ଜଣ ସନ୍ଦୀଗ୍ଧଙ୍କ ନମୂନା ପରୀକ୍ଷାଗାରକୁ ପଠା ଯାଇଛି । ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ମହାରାଷ୍ଟ୍ରରେ ୧୧ , ଦିଲ୍ଲୀ ଓ ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୟପୁରରେ ୧୮ ଜଣ ଆକ୍ରାନ୍ତ ଓ ଲଦାଖରେ ୨ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଇଛି । କର୍ଣ୍ଣାଟକରେ ୪ଜଣ, ପଂଜାବ ଅମୃତସରରେ ୨ ଜଣ ଓ ୟୁପିରେ ୯ଜଣଙ୍କ ସାମ୍ପୁଲ ପଜିଟିଭ ଆସିଥିବା ବେଳେ ୭୭ଜଣ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନଜରରେ ରଖି ଆଇଟିବିପି ଜବାନ ଆଉ ୪ଟି କ୍ୟାମ୍ପ ତିଆରି କରିଛନ୍ତି । ଭାରତ ସରକାର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତ ଆସୁଥିବା ବ୍ୟକ୍ତିଙ୍କ ଭିସା ଉପରେ ଅପ୍ରେଲ ୧୫ ତାରିଖ ଯାଏଁ ରୋକ ଲଗାଇଛନ୍ତି । ବିଦେଶ ଯାତ୍ରା ନକରିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।