ପିଲାଙ୍କୁ କରୋନା, ବନ୍ଦ ହୋଇଯିବ କି ସ୍କୁଲ : କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

4,149

କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ବରଗଡର ଏକ ଘରୋଇ ଓ ଢେଙ୍କାନାଳର ସରକାରୀ ସ୍କୁଲରେ ୪୦ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି । ତେବେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟ ଓ ବରଗଡରେ ଥିବା ବିକାଶ ରେସିଡେନସିଆଲ ସ୍କୁଲର ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କାମାକ୍ଷାନଗରରେ ୭ଦିନ ପାଇଁ ସ୍କୁଲକୁ ସିଲ୍ କରାଯାଇଥିବା ବେଳେ ବରଗଡରେ ମଧ୍ୟ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏପଟେ ମନ୍ତ୍ରୀ କହିଛନ୍ତି ବିଚାର ବିମର୍ଷ ଚାଲିଛି ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଏଥିଲାଗି ବିଚାରବିମର୍ଶ ଚାଲିଛି।

ସେପଟେ, ପିଲାଙ୍କୁ କରୋନା ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ପିଲାମାନେ କିପରି କରୋନା ସଂକ୍ରମିତ ନହେବେ ତାର ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହାସହ ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତୃପକ୍ଷଙ୍କୁ ଅଭିଭାବକ ଅବଗତ କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି । ଏପରିକି ଆବଶ୍ୟକ ପଡିଲେ, ସ୍କୁଲ ବନ୍ଦ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।