କରୋନା ସମୟରେ ମାଟ୍ରିକ ପିଲାଙ୍କ ଚାପ କମାଇବ ‘ପରୀକ୍ଷା ଦର୍ପଣ’ । ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର । 

259

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ପରୀକ୍ଷା ଦର୍ପଣ । ସରକାର ଓ ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରାୟ ୭ଶହ ପୃଷ୍ଠାର ଏହି ପରୀକ୍ଷା ଦର୍ପଣ ସମସ୍ତ ୬ ଲକ୍ଷ ପିଲାଙ୍କୁ ବଣ୍ଟାଯିବ । କୋଭିଡ୍ ପାଇଁ ସ୍କୁଲ ବନ୍ଦ ରହିଥିଲା । ତେଣୁ ପାଠପଢା ବି ହୋଇ ପାରୁନଥିଲା । ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଟେଷ୍ଟ ପେପର ଶୈଳୀରେ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି ।

ପ୍ରକାଶ ପାଇଲା ‘ପରୀକ୍ଷା ଦର୍ପଣ’ । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ସରକାର । ୨୦୨୧ ମାଟ୍ରିକ ପରୀକ୍ଷା ପାଇଁ ସହାୟତା ପୁସ୍ତକ ‘ପରୀକ୍ଷା ଦର୍ପଣ’ ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଉଥିବା ଉଭୟ ସରକାରୀ ଓ ଘରୋଇ ସ୍କୁଲର ୬ ଲକ୍ଷରୁ ଅଧିକ ପିଲାଙ୍କୁ ମାଗଣାରେ ଯୋଗାଇଦେବେ ସରକାର ।

କରୋନା ମହାମାରୀ ଯୋଗୁଁ ଚଳିତ ଶିକ୍ଷାବର୍ଷର ପାଠପଢ଼ା ବାଧା ପାଇଥିବାରୁ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ସହାୟତା ପୁସ୍ତକ ପ୍ରକାଶ କରାଯାଇଛି । କେତେ ମାର୍କର ପରୀକ୍ଷା ହେବ, କେଉଁ ଭଳି ପ୍ରଶ୍ନ ରହିବ, କେତେ ସମୟ ପରୀକ୍ଷା ହେବ ସବୁକିଛି ରହିଛି ଏହି ପରୀକ୍ଷା ଦର୍ପଣରେ ।

ନଜର ପକାନ୍ତୁ ଏଥର କିପରି ହେବ ମାଟ୍ରିକ ପରୀକ୍ଷା ?  

୮୦ ମାର୍କର ପରୀକ୍ଷା, ସମୟ ୨ ଘଣ୍ଟା 

ହ୍ରାସ କରାଯାଇଥିବା ସିଲାବସ୍ ଅନୁଯାୟୀ ପ୍ରଶ୍ନ ଆସିବ 

ସେଥିରେ ୫୦ ମାର୍କର ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍ ବା ବହୁ ବିକଳ୍ପ ପ୍ରଶ୍ନ

ଅର୍ଥାତ୍ ୧ ମାର୍କର ୫୦ଟି ପ୍ରଶ୍ନ

୩୦ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ

ପ୍ରଶ୍ନପତ୍ରର ପୂରା ପାର୍ଟନ ‘ପରୀକ୍ଷା ଦର୍ପଣ’ରେ ଦିଆଯାଇଛି 

ପ୍ରଥମେ ଉପାନ୍ତ ଅଂଚଳ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟକୁ ପଠାଇ ଦିଆଯାଇଛି ପରୀକ୍ଷା ଦର୍ପଣ । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯିବ । ଫେବ୍ରୁଆରୀ ୧୫ ତାରିଖ ମଧ୍ୟରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବାଣ୍ଟି ଦେବାକୁ କୁହାଯାଇଛି । ପରୀକ୍ଷା ଦର୍ପଣ ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବାର୍ତ୍ତା ପ୍ରକାଶ ପାଇଛି । ସେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ପାଠପଢ଼ାରେ ବ୍ୟାପକ ବାଧା ସୃଷ୍ଟି ହୋଇଥିବାରୁ ପରୀକ୍ଷା ଦର୍ପଣ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ । ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାଦେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।