ରାହୁଲ ଗାନ୍ଧି ହଜାର ଥର ଜନ୍ମ ନେଲେ ମଧ୍ୟ ସାବରକରଙ୍କ ଭଳି ହୋଇପାରିବେ ନାହିଁ । ରାହୁଲଙ୍କ ବୟାନ ଉପରେ କଡା ଜବାବ ରଖିଲା ବିଜେପି ।

922

କନକ ବ୍ୟୁରୋ : ରେପ୍ ଇନ୍ ଇଣ୍ଡିଆ ବୟାନ ଉପରେ କ୍ଷମା ନ ମାଗିବାକୁ ସଫା ସଫା ମନା କରିବା ସହ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୁଁ ରାହୁଲ ସାବରକର ନୁହେଁ, ମୁଁ ରାହୁଲ ଗାନ୍ଧି ତେଣୁ ଏହି ପ୍ରସଙ୍ଗରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଏହାସହ ଅଚ୍ଛେଦିନ ନାଁରେ ଲୋକଙ୍କୁ ମୋଦି ସରକାର ଠକୁଥିବା କହିଛନ୍ତି ରାହୁଲ । କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ବିଜେପି ଓ ମୋଦି ସରକାରଙ୍କୁ ନେଇ ରାହୁଲଙ୍କର ଏଭଳି ଉଗ୍ର ରୂପ ହୁଏତ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ରାହୁଲ ନିଜ ଉଦବୋଧନରେ କଂଗ୍ରେସ କାର୍ଯ୍ୟକର୍ତା କାହାକୁ ଡରନ୍ତି ନାହିଁ ବରଂ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରୁହନ୍ତି ବୋଲି କହିଛନ୍ତି । ଏପରିକି ଭାରତର ସମସ୍ତ ଶତ୍ରୁ ମାନେ ଚାହୁଛନ୍ତି କି ଦେଶର ଅର୍ଥବ୍ୟବସ୍ଥା ନଷ୍ଟ ହୋଇଯାଉ । ଆଉ ଏହି କାମ ଅନ୍ୟ କେହି ନୁହେଁ ବରଂ ଆମ ପ୍ରଧାନମନ୍ତ୍ରୀ କରୁଛନ୍ତି ।

ତେବେ ରାହୁଲଙ୍କ ଏହି ବୟାନ ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହାର କଡା ଜବାବ ରଖିଛନ୍ତି ।ରାହୁଲ ଗାନ୍ଧି ହଜାର ଥର ଜନ୍ମ ନେଲେ ମଧ୍ୟ ବୀର ସାବରକରଙ୍କ ଭଳି ହୋଇପାରିବେ ନାହିଁ । ରାହୁଲ ଗାନ୍ଧି ଧାରା ୩୭୦, ସର୍ଜିକାଲ ଷ୍ଟ୍ରାଇକ, ନାଗରିକତା ଆଇନ୍ ଭଳି ମାମଲାରେ ପାକିସ୍ତାନର ଭାଷା କହୁୁଛନ୍ତି । ତେଣୁ ସେ କିଭଳି ସାବରକରଙ୍କ ସମକକ୍ଷ ହୋଇପାରିବେ । ଏହାସହ ରାହୁଲ ଗାନ୍ଧିଙ୍କୁ ନୂଆ ନାଁ ମଧ୍ୟ ଦେଇଛନ୍ତି ସମ୍ବିତ । ମେକ୍ ଇନ୍ ଇଣ୍ଡିଆକୁ ‘ରେପ ଇନ୍ ଇଣ୍ଡିଆ’ ସହ ତୁଳନା କରୁଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ‘ରାହୁଲ ଥୋଡା ଶର୍ମ କର’  ନାଁ ଦେଇଛନ୍ତି ସମ୍ବିତ ।