କନକ ବ୍ୟୁରୋ : ଇମ୍ରାନ ଖାନକୁ ବଡ ଭାଇ ବୋଲି ସିଦ୍ଧୁ କହିବା ପରେ ଏହାକୁ ନେଇ ଟାର୍ଗେଟ କରିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ ଓ କଂଗ୍ରେସକୁ ନିଶାନା କରିଛନ୍ତି । ସମ୍ବିତ କହିଛନ୍ତି, ଯେଉଁ ଡର ଥିଲା ତାହା ହିଁ ହେଲା । ସିଦ୍ଧୁଙ୍କ ଏହି ବୟାନ କୌଣସି ସଂଯୋଗ ନୁହେଁ । ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଇମ୍ରାନଙ୍କୁ ସିଦ୍ଧୁ ବଡ ଭାଇ ବୋଲି ସମ୍ବୋଧନ କରିଥିବା କହିଛନ୍ତି ସମ୍ବିତ ।

Advertisment

ଏହାସହ ସମ୍ବିତ କହିଛନ୍ତି, ହିନ୍ଦୁଙ୍କ ମଧ୍ୟରେ କଂଗ୍ରେସ ନେତାଙ୍କୁ ବୋକୋ ହାରାମ, ଆଇଏସଆଇଏସ ଆତଙ୍କବାଦୀ ଦିଶୁଛନ୍ତି । ସିଦ୍ଧୁଙ୍କୁ ଭାଇ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଆଉ ଏବେ ସିଦ୍ଧୁ , ଇମ୍ରାନ ଖାନଙ୍କୁ ନିଜର ବଡ ଭାଇ ବୋଲି କହୁଛନ୍ତି । ଏହାସହ ଦକ୍ଷିଣ ଭାରତକୁ ନେଇ ସିଦ୍ଧୁ କରିଥିବା ଟ୍ୱିଟକୁ ନେଇ ମଧ୍ୟ ବର୍ଷିଛନ୍ତି ସମ୍ବିତ । ସିଦ୍ଧୁ ପାକିସ୍ତାନ ଯିବେ ଓ ସେଠାରେ ପାକିସ୍ତାନର ଗୁଣଗାନ କରିବେ ଏଭଳି ହୋଇପାରିବନି । ସିଦ୍ଧୁ ଯାହା କହିଛନ୍ତି ତାହା ହିନ୍ଦୁସ୍ତାନ ଲୋକଙ୍କ ପାଇଁ ଚିନ୍ତାର ବିଷୟ ।

ଏହାପୂର୍ବରୁ କରତାରପୁର କରିଡରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ପାକିସ୍ତାନ ପିଏମୟୁର ସିଇଓ ମହମ୍ମଦ ଲତିଫ ତାଙ୍କୁ ସ୍ୱାଗତ କରିବା ସହ ଇମ୍ରାନଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ ।ଆଉ ଏହାପରେ ସିଦ୍ଧୁ ଇମ୍ରାନଙ୍କୁ ନିଜର ବଡ ଭାଇ କହିବା ସହ ମୋତେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଆଉ ଏହି ପିଦଏ କଥାକୁ ନେଇ କଂଗ୍ରେସ ଓ ସିଦ୍ଧୁଙ୍କୁ ଟାର୍ଗେଟ କରିଲାଣି ବିଜେପି ।

ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ସିଦ୍ଧୁଙ୍କ ପାଇଁ ନୂଆ ନୁହେଁ । ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ସିଦ୍ଧୁ । ସେତେବେଳେ ସିଦ୍ଧୁଙ୍କ ବାହାନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା । ଏହାସହ ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ପାକିସ୍ତାନ ଲିଙ୍କ୍ କଥା ଉଠାଇଥିଲେ ।ଅମରିନ୍ଦର କହିଥିଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପାକିସ୍ତାନ ସେନାମୁଖ୍ୟ ବାଜୱାଙ୍କ ସହ ସିଦ୍ଧୁଙ୍କ ଉତ୍ତମ ସମ୍ପର୍କ ରହିଛି । ତେଣୁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

ଏହାପୂର୍ବରୁ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କୁ ୫୦ ଜଣିଆ ତାଲିକା ଦିଆଯାଇଥିଲା । ଯେଉଁମାନେ କରତାରପୁର କରିଡରକୁ ଯିବେ । ତେବେ କେନ୍ଦ୍ର ସରକାର ଏହି ୫୦ ଜଣିଆ ତାଲିକାକୁ ୩ଟି ଭାଗରେ ବିଭକ୍ତ କରି କରତାରପୁର ଯିବାକୁ ଅନୁମତି ଦେଇଥିଲେ । ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କରତାରପୁର ସାହିବ ଗୁରୁଦ୍ୱାରକୁ ଯାଇଥିଲେ । ଆଉ ଏହାପରେ ଆଜି ନବଜୋତ ସିଂ ସିଦ୍ଧୁ କରତାରପୁର କରିଡର ଯାଇଛନ୍ତି । ଏହାପୂର୍ବରୁ କରତାରପୁର କରିଡର ଖୋଲିବା ନିଷ୍ପତ୍ତିକୁ ନେଇ ଇମ୍ରାନଙ୍କୁ ପ୍ରଂଶସା କରିଥିଲେ ସିଦ୍ଧୁ ।