ରାହୁଲ ହେଉଛନ୍ତି ଇଚ୍ଛାଧାରୀ ହିନ୍ଦୁ, ଦେଶବାସୀ କେବେ କ୍ଷମା ଦେବେନି : ସମ୍ବିତ ପାତ୍ର 

304

କନକ ବ୍ୟୁରୋ : ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜି ପରେ କାଉଣ୍ଟର ଆଟାକ କରିଛି ବିଜେପି । ଉତ୍ତର ପ୍ରଦେଶ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଧର୍ମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଖାସକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି-ଆରଏସଏସର ବିଚାରଧାରାକୁ ନେଇ ଟାର୍ଗେଟ କରିଥିବା ବେଳେ ସମ୍ବିତ ପାତ୍ର ରାହୁଲଙ୍କୁ କଡା ଜବାବ ଦେଇଛନ୍ତି ।

ସମ୍ବିତ କହିଛନ୍ତି, ହିନ୍ଦୁ ଓ ହିନ୍ଦୁତ୍ୱ ଉପରେ ପ୍ରହାର କରିବା କଂଗ୍ରେସର ଚରିତ୍ର । କଂଗ୍ରେସ ସେହି ଦଳ ଯିଏ ଗେରୁଆ ଆତଙ୍କବାଦ ଶବ୍ଦ ବ୍ୟବହାର କରୁଥିଲା । ସମ୍ବିତ ପାତ୍ର କହିଛନ୍ତି, ସଲମାନ ଖୁର୍ସିଦ ନିଜ ପୁସ୍ତକରେ ହିନ୍ଦୁତ୍ୱକୁ ନେଇ ଯାହା କହିଛନ୍ତି ତାହା କେବଳ ସଂଯୋଗ ନୁହେଁ ବରଂ ପ୍ରୟୋଗ । କାରଣ ଏହା ପୂର୍ବରୁ ରାହୁଲ ଗାନ୍ଧୀ ମନ୍ଦିର ଯାଉଥିବା ଲୋକଙ୍କୁ ଲଫଙ୍ଗା କହିବାକୁ ମଧ୍ୟ ପଛାଇନଥିଲେ । କଂଗ୍ରେସ ସବୁବେଳେ ଭୋଟବ୍ୟାଙ୍କ ରାଜନୀତି କରୁଛି । ରାମ ମନ୍ଦିର ଶୁଣାଣୀକୁ ଟାଳିବାକୁ କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଇଛି । ଏହି ଦଳର ଲୋକ ଭାରତର ସମ୍ବିଧାନ ଠିକରେ ପଢିନାହାନ୍ତି, ଉପନିଷଦ ପଢିବା ତ ବହୁତ ଦୂରର କଥା ।

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି, ହିନ୍ଦୁ ଧର୍ମକୁ ଛାଡି ରାହୁଲ କଂଗ୍ରେସ ଦଳରେ ଭଲପାଇବା ବାଣ୍ଟନ୍ତୁ । ଜି-୨୩ ଅସନ୍ତୁଷ୍ଟ ନେତାଙ୍କ ସହ ଭଲରେ କଥା ହୁଅନ୍ତୁ, ରାଜସ୍ଥାନରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଭଲ ପାଇବାର ବାର୍ତ୍ତା ବାଣ୍ଟନ୍ତୁ, ଛତିଶଗଡ ଓ ପଞ୍ଜାବରେ କଂଗ୍ରେସ ଦଳରେ ଯେଉଁ ରାଜନୈତିକ ଛକାପଞ୍ଝା ଚାଲିଛି ସେଠାରେ ଭଲପାଇବା ଦେଖାନ୍ତୁ । ୧୩୦ କୋଟି ଭାରତୀୟଙ୍କ ବିରୋଧରେ ରାହୁଲ ଏପରି ବୟାନ ଦେଉଛନ୍ତି । ସଲମାନ ଖୁର୍ସିଦ ମଧ୍ୟ ରାହୁଲଙ୍କ କହିବା ଅନୁସାରେ ଏଭଳି ବୟାନ ଦେଇଛନ୍ତି । ଗାନ୍ଧୀ ପରିବାରର ଇସାରାରେ କଂଗ୍ରେସ ନେତା ଏପରି ବୟାନବାଜି କରୁଛନ୍ତି ଯାହାଦ୍ୱାରା ଦେଶରେ ହିନ୍ଦୁଙ୍କ ବିରୋଧରେ ଏକ ମାହୋଲ ସୃଷ୍ଟି କରାଯାଇପାରିବ । ରାହୁଲ ଗାନ୍ଧୀ ହେଉଛନ୍ତି ଇଚ୍ଛାଧାରୀ ହିନ୍ଦୁ । କାରଣ ଯଦି ସେ ହିନ୍ଦୁ ଦର୍ଶନକୁ ବୁଝିଥାନ୍ତେ ତେବେ ଏଭଳି କେବେ କହିନଥାନ୍ତେ । କଂଗ୍ରେସର ତୁଷ୍ଟୀକରଣ ରାଜନୀତି ବାବଦରେ ପୂରା ଦେଶ ଜାଣିଛି । ଭାରତର ସଂସ୍କୃତିକୁ ନେଇ ଯେଉଁ ଲୋକ ଏପରି ଶବ୍ଦ ବ୍ୟବହାର କରୁଛନ୍ତି ତାହାକୁ କେବେ ଲୋକେ କ୍ଷମା ଦେବେ ନାହିଁ ।

କଣ କହିଥିଲେ ରାହୁଲ : 

ଶୁକ୍ରବାର ଜନ ଜାଗରଣ ଅଭିଯାନର ଆରମ୍ଭ କରିବା ସହ ରାହୁଲ କହିଛନ୍ତି, କିଏ ମାନୁ ବା ନମାନୁ କିନ୍ତୁ ଆରଏସଏସ ଓ ବିଜେପିର ବିଚାରଧାରାରେ ଘୃଣା ଭାବ ଭରି ରହିଛି । ଅନ୍ୟପଟେ କଂଗ୍ରେସର ବିଚାରଧାରାରେ ସ୍ନେହ, ପ୍ରେମ, ଭଲ ପାଇବା, ରାଷ୍ଟ୍ରବାଦ ରହିଛି ।  ଯାହାକୁ ଏବେ ବିଜେପି ଓ ଆରଏସଏସର ବିଚାରଧାରା ଦବାଇ ରଖିଛି । ଏହାକୁ ଆମକୁ ମାନିବାକୁ ପଡିବ । ଆମର ବିଚାରଧାରା ଏବେ ବି ବଞ୍ଚିଛି, ଜୀବନ୍ତ ଅଛି  କିନ୍ତୁ ଏହାକୁ କିଛି ସମୟ ପାଇଁ ଦବାଇ ଦିଆଯାଇଛି । ଆଉ ଏହା ପଛର ବଡ କାରଣ ମଧ୍ୟ ରଖିଛନ୍ତି ରାହୁଲ । କଂଗ୍ରେସର ବିଚାରଧାରାକୁ ଆମେ ନିଜ ଲୋକଙ୍କ ମଧ୍ୟରେ ଠିକ୍ ଢଙ୍ଗରେ ପହଞ୍ଚାଇ ପାରିନାହୁଁ ।  ଏହାସହ ରାହୁଲ କହିଛନ୍ତି, ଆରଏସଏସର ଆଇକନ ହେଉଛନ୍ତି ସାବରକର, ଅନ୍ୟପଟେ କଂଗ୍ରେସର ଆଇକନ ହେଉଛନ୍ତି ମହାତ୍ମା ଗାନ୍ଧୀ ।ତେଣୁ କଂଗ୍ରେସର ବିଚାରଧାରାକୁ ପୂରା ଦେଶରେ ପ୍ରସାର କରିବାକୁ ପଡିବ ।