ଜାମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ନେହେରୁ ଦାୟୀ । ପଢନ୍ତୁ, ଏପରି କାହିଁକି କହିଲେ ବିଜେପି ମୁଖପାତ୍ର?

454

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରକୁ ନେଇ କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବୟାନ ପରେ ଏବେ ଏହାକୁ ନେଇ କଂଗ୍ରେସକୁ ତେରେଛା ବାଣ ମାରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଜାମ୍ମୁ କାଶ୍ମୀରର ସମସ୍ୟା ପାଇଁ ସମ୍ବିତ ସିଧାସଳଖ କଂଗ୍ରେସ ପାର୍ଟି ଏବଂ ନେହେରୁ ଦାୟୀ ବୋଲି କହିଛନ୍ତି । ଅନ୍ୟପଟେ ରାହୁଲଙ୍କ ଏଭଳି ବୟାନ କଂଗ୍ରେସର ତୁଷ୍ଟିକରଣ ରାଜନୀତିର ଅଂଶ ବୋଲି ସମ୍ବିତ କହିଛନ୍ତି ।

ଖାଲି ସେତିକି ନୁହେଁ ସମ୍ବିତ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଠିଆ ହୋଇ ଧାରା ୩୭୦ର ଉଚ୍ଚେଦ ପାଇଁ କହିଥିଲେ, ସେତେବେଳେ ସୋନିଆ ଗାନ୍ଧୀଙ୍କ ଇସାରାରେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଦ୍ୱିପାକ୍ଷିକ ମାମଲା ବୋଲି କହିଥିଲେ । ଏହି ପ୍ରସଙ୍ଗରେ ସେ ପାକିସ୍ତାନର ମତ ପଚରାଯିବାକୁ ମଧ୍ୟ କହିଥିଲେ । ଯାହାକି କଂଗ୍ରେସ ରାଜନୀତି କିଭଳି ତାହା ଦର୍ଶାଉଛି ବୋଲି ଆଜି ସମ୍ବିତ କହିଛନ୍ତି ।

ଏହାବାଦ ଧାରା ୩୭୦ ଉଚ୍ଚେଦ ହେବା ପରେ ଜାମ୍ମୁ କାଶ୍ମୀରରେ ଏବେ ବିକାଶର କାମ ଆଗକୁ ବଢୁଥିବାବେଳେ ନାଗରିକମାନେ ଆଉ ପୂର୍ବଭଳି ଅସମାନାତ ଅନୁଭବ କରୁନାହାଁନ୍ତି ବୋଲି ସମ୍ବିତ କହିବା ସହିତ କଂଗ୍ରେସକୁ ଭର୍ସନା କରିଛନ୍ତି ।

ଏପଟେ ଧାର୍ମିକ ଯାତ୍ରାରେ ରାଜନୈତିକ ବୟାନ ଦେଇଥିବାରୁ ରାହୁଲଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି ସମ୍ବିତ । ସମ୍ବିତ କହିଛନ୍ତି, ରାହୁଲ ଗାନ୍ଧୀ ମାତା ମାନଙ୍କର ଚିହ୍ନ କଥା କହିଛନ୍ତି । ତା ସହ ମୋଦୀଙ୍କ କାର୍ଯ୍ୟକାଳରେ ଦୁର୍ଗା ମାତା, ଲକ୍ଷ୍ମୀ ମାତାଙ୍କର ଶକ୍ତି କମିଥିବା କହିଛନ୍ତି । ହେଲେ ପ୍ରକୃତ କଥା ହେଉଛି, ଆମ ଦେବାଦେବୀ, ମାତାମାନଙ୍କର ଶକ୍ତି କଦାପି କମ ହୋଇନଥାଏ । ବଂର ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ସମୟରେ ଦେଶର ଶକ୍ତି ବଢିଛି ବୋଲି ସମ୍ବିତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କାଶ୍ମୀରକୁ ନେଇ ନିଜର ମତ ରଖିଥିଲେ । କାଶ୍ମୀରକୁ ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ସେ ଦାବି କରିଥିବାବେଳେ ନିଜକୁ ଜଣେ କାଶ୍ମୀର ପଣ୍ଡିତ ବୋଲି କହିଥିଲେ ।