କନକ ବ୍ୟୁରୋ : ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି । ନିଜ ପ୍ରତିକ୍ରିୟାରେ ସମ୍ବିତ କହିଛନ୍ତି, ଯଦି ରକ୍ଷକ ସୁରକ୍ଷିତ ନୁହଁନ୍ତି ତେବେ ଲୋକେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧିନରେ ଆସୁଛି । ଏସଡ଼ିପିଓ ମଧ୍ୟ ପିପିଲି ଅଂଚଳର । ଅନ୍ୟପଟେ ପିପିଲିରେ ଅନେକ ବର୍ଷ ହେବ ଗ୍ୟାଙ୍ଗୱାର ହେଉଥିବା ସେ କହିଛନ୍ତି । ଯଦି ବାଣ ଥିଲା କେତେ ଦିନ ଯାଏ ରହିପାରିବ ଏବଂ ଏହା ନିଷ୍ଟ୍ରିୟ କାହିଁକି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।
ବିଜେପିର ଅଭିଯୋଗ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡ଼ି । ଔଷଧ ବିକଳରେ ବିଜେପି ତାଟିଆ କାମୁଡ଼ୁଥିବା କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ବିଜେପିର ଅଭିଯୋଗ ଆଧାର ହୀନ ଏବଂ ପ୍ରମାଣ ଥିଲେ ଦିଅନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ନେତା । ବିସ୍ଫୋରଣ କାହିଁକି ହେଲା ପୋଲିସ ତାର ତଦନ୍ତ କରୁଛି । ସେ ବାବଦରେ ବିଭାଗ ସ୍ପଷ୍ଟ କରିବ । ଏତେ ବ୍ୟସ୍ତ ହେଲେ କଣ ହେବ? ବିଜେପି ପରାଜୟର ଆଶଙ୍କା କରୁଛି, ତେଣୁ ସେଥିପାଇଁ ଏମିତି ବୟାନ ଦେଉଛି ।
ଅନ୍ୟପଟେ, ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ନରସିଂହ ଭୋଳ କହିଛନ୍ତି, ଥାନାରେ କୌଣସି କେସ୍ ସଂକ୍ରାନ୍ତରେ କିଛି ବିସ୍ଫୋରକ ମାଲଖାନାରେ ରଖାଯାଇଥିଲା । ଗତକାଲି ରାତି ପ୍ରାୟ ୧୨ଟା ୧୫ରେ ଏହା ବିସ୍ଫୋରଣ ହୋଇଛି । ଫଳରେ ଥାନାର ଛାତ ଓ କାନ୍ଥ ନଷ୍ଟ ହୋଇଛି । ସୌଭାଗ୍ୟରୁ କୌଣସି ପୁଲିସ କର୍ମଚାରୀଙ୍କର କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରୁଛନ୍ତି । ତଦନ୍ତରେ କେଉଁ ଅଧିକାରୀ ଏଥିପାଇଁ ଦାୟୀ ଜଣାପଡିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଏହାଛଡା ଥାନା ଭିତରେ କୌଣସି ବିସ୍ଫୋରକ ଥିଲେ ନିଷ୍କ୍ରିୟ କରାଯିବ ନଚେତ ଏହାକୁ ସୁରକ୍ଷିତ ସ୍ଥାନରେ ରଖାଯାଉ ବୋଲି ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ । ସବୁ ଥାନାର ମାଲଖାନାର ଯାଞ୍ଚ କରାଯିବ । ଏହାବାଦ୍ ନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି । ଶାନ୍ତିପୂର୍ଣ୍ଣ ଭାବେ ପ୍ରଚାର ସରିଛି, ଭୋଟଦାନ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।