କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ନିଜ ଭିଟାମାଟିକୁ ଫେରି କଫି ଚାଷ ପ୍ରତି ମନବଳାଇଥିଲେ ଯୁବ ଇଂଜିନିୟର ସମ୍ବିତ ପଣ୍ଡା । କିଛି ନୂଆ କରିବାର ଆଶା ନେଇ ନିଜ ଘରେ ଆରମ୍ଭ କରିଥିଲେ କଫି ପ୍ରୋସେସିଂ ୟୁନିଟ । ଏକ ଭିନ୍ନ ସ୍ୱାଦ ପାଇଁ ସେ ତିଆରି କରିଛନ୍ତି ଏକ ଅଲଗା ମିଶ୍ରଣ । ଯାହାକୁ ଆରବିକା କଫି ଏ୧ ନାମରେ ନାମିତ କରିଛନ୍ତି । ନିଜର ଫାର୍ମରୁ ଅମଳ ହେଉଥିବା କଫି ମଞିକୁ ନିଜେ ପ୍ରୋସେସିଂ କରି ପ୍ୟାକେଟିଂ କରୁଛନ୍ତି । କେବଳ ପାଉଡ଼ର କଫି ତିଆରି କରୁନାହାନ୍ତି । ତରଳ କଫିର ପ୍ୟାକଟିଂ ମଧ୍ୟ କରୁଛନ୍ତି ।
ଲିକୁଇଡ଼ କଫି ପାଉଚ ବଜାରରେ ଚାହିଦା ଅଧିକା ରହିଥିବା ବେଳେ, ଏହାର ଦର ମଧ୍ୟ ଭଲ ରହିଛି । ଏବେ ଏହି କଫି ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଣ ହେଉଛି । ଏସବୁ କାମରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ମନିଷା ପଣ୍ଡା । ଏପରିକି ଆମାଜାନରେ ମଧ୍ୟ ଏହି କଫି ବିକ୍ରୀ କରାଯାଉଛି । ଯୁବପିଢିଙ୍କ ପାଇଁ ଏବେ ସମ୍ବିତଙ୍କ ଲିକୁଇଡ଼ କଫି ପାଲଟିଛି ପ୍ରଥମ ପସନ୍ଦ ।
ଅନ୍ୟ କଫି ଠାରୁ ଏହି ଲିକୁଇଡ଼ କଫିର ସ୍ୱାଦ ଟିକିଏ ଅଲଗା । ଏହା ସିଧାସଳଖ ଗରମ କ୍ଷୀରରେ ଢ଼ାଳି ପିଇ ହୋଇଥାଏ । ଗୋଟିଏ ପ୍ୟାକେଟରେ ୫ଟି କଫି ପାଉଚ ରହିଛି । ଯହାକି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ସମ୍ବିତଙ୍କ ବାପା ମଧ୍ୟ ଜଣେ କଫି ଚାଷୀ । ସମ୍ବିତ ନିଜେ ଏକ ୟୁନିଟ ବସାଇବା ପରେ ନିଜ ଫାର୍ମରୁ ଆଦାୟ ହେଉଥିବା କଫି ମଞିକୁ ବାହାରେ ଶସ୍ତା ଦରରେ ବିକ୍ରି ନକରି ନିଜ ୟୁନିଟରେ ପ୍ରେସେସିଂ କରି ବିକ୍ରୀ କରୁଛନ୍ତି । ଏଥିପାଇଁ ଅନେକ ବରିଷ୍ଠ କଫି ଚାଷୀ ସମ୍ବିତଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।
କୋରାପୁଟ ପୋଡ଼ାଗଡ଼ରେ ନିଜର ୫୦ ଏକରର କଫି ଫାର୍ମ ରହିଛି । ଏହି ଫାର୍ମ ଦ୍ୱାରା ସେ ନିଜେ ରୋଜଗାର କରିବା ସହ ଅନ୍ୟ କିଛି କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ସ୍ଥାନୀୟ ଅଂଚଳରେ ରୋଜଗାର ମିଳୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ । ନିକଟରେ ବିଶ୍ୱ କଫି ସମ୍ମିଳନୀରେ କୋରାପୁଟର ଏ ୱାନ୍ କଫିକୁ ପ୍ଳେଂବର ଅଫ ଇଣ୍ଡିଆର ମାନ୍ୟତା ମିଳିଛି । ବିଶ୍ୱର ୮୫ଟି ଦେଶର କଫି ଚାଷୀ ୪ ଦିନ ଧରି ଅନୁଷ୍ଟିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସମ୍ବିତ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । କୋରାପୁଟ କଫିର ପରିଚୟ ସାରା ଭାରତରେ ରହିଥିବା ବେଳେ ଯୁବ ଇଞ୍ଜିିନିୟରଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।