ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ଆଗେଇ ଆସିଲା କେନ୍ଦୁଝରର ‘ସମ୍ଭାବନା’ ଅନୁଷ୍ଠାନ । ଜିଲ୍ଲାପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କଲା ୨୫ ହଜାର ଟଙ୍କା ।

212

କନକ ବ୍ୟୁରୋ : ପୁଣି ଥରେ ପ୍ରକୃତିର କରାଳ ରୂପ ଦେଖିଲା ଓଡିଶା । ୧୯୯୯ର ମହାବାତ୍ୟା ଭଳି ବାତ୍ୟା ‘ଫୋନି’ ରଚିଲା ପ୍ରଳୟ । ଛାରଖାର କରିଦେଲା ଅଧା ଓଡିଶା । ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିଗଲା ମେ ୩ ତାରିଖ । ମାତ୍ର ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଚେହେରାକୁ ବିବର୍ଣ୍ଣ କରିଦେଲା ବାତ୍ୟା ‘ଫୋନି’ । ‘ଫୋନି’ ଚାଲିଯାଇଛି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଦେଇଯାଇଛି, ତାହା କେବେ ଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ ।

ତେବେ ଏହାରି ଭିତରେ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡିଶା । ଆଉ ଏଥିପାଇଁ ବିଭିନ୍ନ ମହଲରୁ ଓଡିଶାକୁ ଛୁଟୁଛି ସହାୟତାର ହାତ । ଆଜି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ଭାବନା’ ତରଫରୁ ମୁଖ୍ୟମନ୍ତ୍ରୀ ରାଲିଫ୍ ପାଣ୍ଠିକୁ ବାତ୍ୟା ପୀଡିତଙ୍କୁ ସହାୟତା ଏବଂ ଓଡିଶାର ପୁନଃର୍ଗଠନ ପାଇଁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଛି । କିପରି ଖୁବଶୀଘ୍ର ଓଡିଶା ପୁଣି ଥରେ ନିଜ ସୌନ୍ଦର୍ଯ୍ୟ ଫେରିପାଇବ, ସେନେଇ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ‘ସମ୍ଭାବନା’ ଅନୁଷ୍ଠାନର କର୍ମକର୍ତ୍ତାମାନେ ।