ଗୁଜୁରାଣ ମେଂଟାଉଛି ଗୁପଚୁପ..୧୭ ବର୍ଷ ହେବ ସଂଘର୍ଷକୁ ସାମ୍ନା କରି ପ୍ରତିମା ବିକୁଛନ୍ତି ଗୁପଚୁପ..ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

396

କନକ ବ୍ୟୁରୋ: ନାରୀ ଆଉ ପଛରେ ନାହିଁ । ପୁରୁଷଙ୍କ ସହ ତାଳ ଦେଇ ଆଗକୁ ବଢୁଛି ନାରୀ । ଏଭଳି ଏକ ଜୀବନ୍ତ ଉହାହରଣ ହେଉଛନ୍ତି ସମ୍ବଲପୁର ଜିଲ୍ଲା କବରିବାହାଲର ପ୍ରତୀମା । ପରିବାର ପ୍ରତିପୋଷଣ ପାଇଁ କାହା ଘରେ କାମ କରିବା ଅପେକ୍ଷା ନିଜେ ସ୍ୱାବଲମ୍ବୀ ହେବାର ବାଟ ବାଛି ନେଇଛନ୍ତି । ଜାଣନ୍ତି ସେ କ’ଣ କରୁଛନ୍ତି? ଠିକ୍ ପୁରୁଷ ବିକାଳିଙ୍କ ଭଳି ଠେଲାଟିଏ କରି ଗୁପଚୁପ ବିକ୍ରି କରୁଛନ୍ତି । କାହା ପାଇଁ ବୋଝ ହେବା ବଦଳରେ ନିଜେ ସ୍ୱାବଲମ୍ବୀ ହେବାର ଏକ ନିଆରା ବାଟ ବାଛି ନେଇଛନ୍ତି ପ୍ରତୀମା । ଆଉ ଏହି ଗୁପଚୁପ ବିକ୍ରି କରି ଦିନକୁ ରୋଜଗାର କରୁଛନ୍ତି ୫୦୦ରୁ ୧୦୦୦ ଟଙ୍କା ।

ପ୍ରତିମା ଭଏଁସା, କିଛି ବର୍ଷ ପୂର୍ବେ ଅନ୍ୟ ମୂଲ ଲାଗି ପରିବାର ଚଳାଉଥିଲେ । ଆଉ ଏଥିପାଇଁ ତାଙ୍କୁ ଅନେକ ସମୟରେ ନାନା କଥା ଶୁଣିବାକୁ ପଡୁଥିଲା । ଶେଷରେ ରୋଜଗାର ଏକ ଭିନ୍ନ ପନ୍ଥାବାଛି ନେଲେ ପ୍ରତୀମା । ଦୃଢ ମନୋବଳ ଓ ଇଛାଶକ୍ତି ପାଥେୟ କରି ଆରମ୍ଭ କଲେ ଗୁପଚୁପ ବ୍ୟବସାୟ । ଗାଁ ଗାଁ ବୁଲି ପ୍ରଥମେ ଚୁପ୍ଚୁପ୍ ବିକ୍ରି କରୁଥିଲେ । ଆଉ ଗତ କିଛି ବର୍ଷ ହେଲା ସେ ଆଉ ଗାଁ ଗାଁ ବୁଲି ଗୁପଚୁପ୍ ବିକ୍ରି କରିବା ବଦଳରେ ନିଜ ଘର ସାମ୍ନାରେ ଚୁପଚୁପ୍ ଷ୍ଟଲଟିଏ କରି ବେଶ ହସ ଖୁସିରେ ବ୍ୟବସାୟ କରୁଛନ୍ତି । ଆଉ ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ ।

ପ୍ରତିମାଙ୍କ ଏହି ଉଦ୍ୟମକୁ ଅଂଚଳର ଲୋକେ କେବଳ ପସନ୍ଦ କରୁ ନାହାଁନ୍ତି, ସମୟ ସୁବିଧା ଦେଖି ତାଙ୍କ ଷ୍ଟଲରୁ ଗୁପ୍ଚୁପ୍ ବି ଖାଉଛନ୍ତି । ସାଧାରଣତଃ ପୁରୁଷମାନେ କରୁଥିବା ବ୍ୟବସାୟକୁ ଆପଣାଇ ପ୍ରତୀମା କେବଳ ଅନ୍ୟମାନଙ୍କ ପାଇଁ ଉହାରଣ ପାଲଟିଛନ୍ତି, ତାହା ନୁହେଁ ନିଜ ପରିବାର ପାଇଁ ରୋଜଗାରର ଏକ ଭିନ୍ନ ମାଧ୍ୟମ ତିଆରି କରିପାରିଛନ୍ତି ।