ସଂକଟରେ ସମ୍ବଲପୁରୀ ବସ୍ତ୍ର ବୁଣାକାର: ରଙ୍ଗ ଓ ସୂତାର ଅହେତୁକ ଦର ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି ଜୀବିକା 

68

କନକ ବ୍ୟୁରୋ: ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ରାଜ୍ୟରେ ଚାଲିଥିବା ଲକଡାଉନ ଜୀବନ ଏବଂ ଜୀବିକା ଉପରେ ଖୁବ ପ୍ରଭାବ ପକାଇଛି । ଏହି ଲକଡାଉନରେ ବେସି ପ୍ରଭାବିତ ହୋଇଛନ୍ତି ବରଗଡ଼ ଜିଲ୍ଲାର ବୁଣାକାର ପରିବାର । ଗୋଟିଏ ପଟେ ବୁଣାବସ୍ତ୍ର ବିକ୍ରି କରିନପାରି ଏମାନେ ଦୁର୍ବିସହ ଜୀବନ ବିତାଉଥିବା ବେଳେ ଅନ୍ୟପଟେ କିନ୍ତୁ ସୂତା ଓ ରଙ୍ଗର ଦର ବଢି ବଢି ଚାଲିଛି । ଏପରିସ୍ଥିତିରେ ବୁଣାକାର ନିଜ ପରିବାର ପୋଷଣ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ବେଳେ ଏସବୁ ସମସ୍ୟାର ସମାଧାନ ପାଇଁ ପାଂଚ ଦଫା ଦାବୀରେ ବରଗଡ ଜିଲ୍ଳାପାଲଙ୍କ କାର୍ଯ୍ୟାଲୟ ଘେରାଉ କରିଛନ୍ତି ।

ସର୍ବାଧିକ ସମ୍ବଲପୁରୀ ବସ୍ତ୍ର ବରଗଡ ଜିଲ୍ଲାରେ ଉତ୍ପାଦନ ହୋଇଥାଏ । ସମ୍ବଲପୁରୀ ଶାଢି, ଗାମୁଛା, ଡ୍ରେସ କପଡା, ବେଡସିଟ୍ ଆଦି ବିକ୍ର କରି ପରିବାର ପୋଷନ୍ତି ବୁଣାକାର । ବରଗଡରେ ବାର୍ଷିକ ଶହେ କୋଟି ଟଙ୍କାର ସମ୍ବଲପୁରୀ ବସ୍ତ୍ର କାରବାର ହୋଇଥାଏ । କିନ୍ତୁ ଏବେ ବୁଣାକାର ବିଭିନ୍ନ ସମସ୍ୟା ଘାଂଟି ହେଉଛନ୍ତି । ବୁଣା ହୋଇଥିବା ବସ୍ତ୍ର ବିକ୍ରି ହୋଇପାରୁନି । ୨ ବର୍ଷର କରୋନା କଟକଣା ସାଙ୍ଗକୁ ରଙ୍ଗ ଓ ସୂତାର ମୁଲ୍ୟ ବୃଦ୍ଧି ବୁଣାକାରଙ୍କ ଜୀବିକାକୁ ପ୍ରଭାବିତ କରିଛି । ଦର ଅଧିକ ହେବରୁ ବସ୍ତ୍ର ବିକ୍ରି କମିଯାଉଛି । ଏହାର ପ୍ରତିବାଦରେ ବରଗଡ ଜିଲ୍ଳା ବୁଣାକାର ସଂଘ ଆନ୍ଦୋଳନକୁ ଓହ୍ଳାଇଛି । ଶୋଭାଯାତ୍ରାରେ ବରଗଡ ଜିଲ୍ଳାପାଲଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପାଂଚ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।

ରଙ୍ଗ ଓ ସୂତାର ମୁଲ୍ୟ ହ୍ରାସ, ସୂତା ବ୍ୟାଙ୍କରେ ସୂତା ମହଜୁତ ରଖିବା, ସୂତା କିଣାକୁ ସରଳିକରଣ କରିବା, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ପରି ୪୦ରୁ ୫୦ ପ୍ରତିଶତ ରିହାତି ଦେବା, ରାଜ୍ୟରେ ବନ୍ଦ ପଡିଥିବା ସମସ୍ତ ସୂତାକଳ ଖୋଲିବା ସହ ଆଉ ୨ଟି ନୂଆ ସୂତାକଳ ନିର୍ମାଣ କରିବାକୁ ଦାବି ହୋଇଛି । ତେବେ ବୁଣାକାରଙ୍କ ସମସ୍ତ ଦାବି ବିଷୟରେ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ । ଆଗାମୀ ଦିନରେ ଯଦି ସରକାର ବୁଣାକାରଙ୍କ ଦାବି ପୂରଣ ନକରନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ବୁଣାକାର ।