ରାଜ୍ୟକୁ ବିଦେଶରେ ପରିଚୟ ଦେଇଛି ସମ୍ବଲପୁରୀ ହସ୍ତତନ୍ତ, ୫ ଶହ ରୁ ଆରମ୍ଭ ହେଉଛି ସୁନ୍ଦର ଶାଢୀ

ରାଜ୍ୟକୁ ବିଦେଶରେ ପରିଚୟ ଦେଇଛି ସମ୍ବଲପୁରୀ ହସ୍ତତନ୍ତ, ୫ ଶହ ରୁ ଆରମ୍ଭ ହେଉଛି ସୁନ୍ଦର ଶାଢୀ

କନକ ବ୍ୟୁରୋ : ସମ୍ବଲପୁରୀ ହସ୍ତତନ୍ତ ପାଇଁ ବରଗଡ଼ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଜିଲ୍ଲାରେ ପାଖାପାଖି ୪୦ ହଜାର ବୁଣାକାର ରହିଥିବା ବେଳେ ଏହି ବୁଣାକାରଙ୍କ ପାଇଁ ରାଜ୍ୟ ସରକାର ତିଆରି କରିଛନ୍ତି ସବୁଠାରୁ ବଡ଼ ବୟନ ବଜାର । ବରଗଡ଼ ବ୍ଲକ ଅନ୍ତର୍ଗତ ବାଲିଜୁରୀ ବେହେରା ନିକଟରେ ଥିବା ଏହି କପଡ଼ା ବଜାରରେ ବୁଣାକାର ମାନେ ସେମାନଙ୍କ ହାତ ତିଆରି ପାଟ ଯଥା ବାଙ୍କେଇ ପାଟ, ବାନ୍ଧ ଶାଢୀ, ଶବଟା ପାଟ, ଟସର ଶାଢୀ, ଖଦି ଶାଢୀ, ବେଡସିଟ, ପରଦା, ରୁମାଲ ଆଦି ବିକ୍ରି କରନ୍ତି । ରାତି ୩ଟାରୁ ଆରମ୍ଭ ହୋଇ ଦିନ ୧୦ ପର୍ଯ୍ୟନ୍ତ ଚାଲିଥାଏ ଏହି ବଜାର । ପାଖାପାଖି ୨୫ ବର୍ଷ ଧରି ଚାଲିଆସିଥିବା ଏହି ବଜାରରେ କୋଟି କୋଟି ଟଙ୍କାର ବ୍ୟବସାୟ ମଧ୍ୟ ହୋଇଥାଏ । ୫ ଶହ ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କାର ଶାଢୀ ଏହି ବଜାରରେ ମିଳିଥାଏ  । ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରରର ହାତତିଆରି ବସ୍ତ୍ର ମିଳୁଥିବାରୁ ଗ୍ରାହକ ମାନେ ମଧ୍ୟ ବେଶ ଆଗ୍ରହର ସହ କିଣି ନେଇଥାଆନ୍ତି ।

ବିବାହବ୍ରତ ହେଉ କିମ୍ବା ପର୍ବପର୍ବାଣୀ ସମ୍ବଲପୁରୀ ବସ୍ତ୍ର ପ୍ରତି ଲୋକଙ୍କର ରହିଛି ସ୍ୱତନ୍ତ୍ର ଆକର୍ଷଣ । ଭିନ୍ନ ଭିନ୍ନ ରଙ୍ଗ ଓ ବାନ୍ଧକଳାର ଛାପ ସମ୍ବଲପୁରୀ ବସ୍ତ୍ରରେ ଦେଖିବାକୁ ମିଳିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ବଜାରକୁ ପ୍ରତି ବୁଧବାର ଗ୍ରାହକ ମାନଙ୍କର ସୁଅ ଛୁଟିଥାଏ । ଏଠାରେ ବୁଣାକାର ଓ ଗ୍ରାହକଙ୍କ ମଧ୍ୟରେ ସିଧାସିଳଖ ସମ୍ପର୍କ ସ୍ଥାପନ ହେଉଥିବାରୁ ଲୋକେ ଉଚିତ୍ ମୂଲ୍ୟରେ ସଠିକ୍ ଜିନିଷ ପାଇପାରନ୍ତି । ଏପରିକି ବମ୍ବେ, ଦିଲ୍ଲୀ ଓ ଲକ୍ଷେ୍ନø ଭଳି ସହରରୁ ବଡ଼ ବଡ଼ ହୋଲସେଲର ମାନେ ଆସି ବୁଣାକାର ମାନଙ୍କ ଠାରୁ ସିଧାସଳଖ ସମ୍ବଲପୁରୀ ବସ୍ତ୍ର କିଣିଥାଆନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe