ଶିଳ୍ପ ପାଇଁ ଆଖିବୁଜା ଗଛକଟା । କୋଇଲା ମନ୍ତ୍ରାଳୟକୁ ପଚାର କହି ହାତ ଟେକି ଦେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ  ।

196

କନକ ବ୍ୟୁରୋ : କୋଇଲା ଖଣି ପାଇଁ ସମ୍ବଲପୁରରେ ଆଖିବୁଜା ଗଛ କଟାଚାଲିଛି । ହେଲେ ଖଣିମନ୍ତ୍ରୀ କହୁଛନ୍ତି, କେନ୍ଦ୍ର କୋଇଲା ମନ୍ତ୍ରାଳୟକୁ ପଚାର । ସେପଟେ ତଳାବିରା ୨ ଓ ୩ ଖଣି ପାଇଁ କମ୍ପାନୀ ଗଛ କାଟୁଥିବା ପ୍ରସଙ୍ଗରେ ହାତରେ ଲାଗିଛି ଭୟଙ୍କର ତଥ୍ୟ । ଗଛ କଟାଯିବ ସମ୍ବଲପୁର ଓ ଝାରସୁଗୁଡ଼ାରୁ, ହେଲେ ଅଧିକ ଗଛ ଲଗାଯିବ ସୋନପୁର ଓ ବଲାଙ୍ଗିରରେ ।  ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବନୀକରଣ ହେବା ପୂର୍ବରୁ ଗଛ କାଟିଚାଲିଛି କଂପାନୀ ।

ତଲାବିରା ୨ ଓ ୩ ଖଣି ଲିଜ ଏନଏଲସି କମ୍ପାନୀ ପାଇବା ପରେ ସମ୍ବଲପୁର ଓ ଝାରସୁଗୁଡ଼ା ସୀମାନ୍ତ ଅଂଚଳରେ ଜଙ୍ଗଲକୁ ପଦା କରିବାରେ ଲାଗିଛି । ବଡ ବଡ ଗଛ ସବୁ କାଟି ଦିଆଯାଉଛି, ପ୍ରତିବଦଳରେ ଜଙ୍ଗଲ ବିଭାଗକୁ ଦିଆଯାଇଛି କ୍ଷତିପୂରଣ । ହେଲେ ଗଛ କାଟିବା ପୂର୍ବରୁ କାହିଁକି ଗଛ ଲଗାଗଲା ନାହିଁ ପ୍ରଶ୍ନ କରିଛନ୍ତି ପରିବେଶବିତ୍ ।

ଜଙ୍ଗଲ ବିଭାଗ ଗଛ ଲଗାଇବା ପାଇଁ ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ସ୍ଥାନ ଚିହ୍ନଟ କରିଛି । ମୋଟ ୨୫ ଲକ୍ଷ ୪୦୦ ଗଛ ଲାଗିବାକୁ ଥିବାବେଳେ ଜାଗା ଚିହ୍ନଟ କରାଯାଇଛି ୨୦୮୯ ହେକ୍ଟର । ସେଥିମଧ୍ୟରୁ ସମ୍ବଲପୁରରେ ୮୫୦ହେକ୍ଟର ତଥା ରେଙ୍ଗାଲି ଓ ମାନେଶ୍ୱର ଥିବା ରେଭିନ୍ୟୁ ଜଙ୍ଗଲରେ ଗଛ ଲଗାଯିବ । ସେହିପରି ସୋନପୁର ଜିଲ୍ଲାରେ ୩୬୦ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାରେ ୮୮ ହେକ୍ଟରରେ ଗଛ ଲଗାଇବା ପାଇଁ ଚିହ୍ନଟ ହୋଇଛି । ଏସବୁ ସ୍ଥାନରେ ମୋଟ ୧୩ ଲକ୍ଷ ଗଛ ଲଗାଯିବ । ବାକି ୧୨ ଲକ୍ଷ ୪ ଶହ ଗଛ କମ୍ପାନୀ ତା’ର ସେପ୍ଟି ଜୋନ, ଗ୍ରୀନ କରିଡର ଓ ଖଣି କାମ ସରିଲା ପରେ ଲଗାଇବାର ନିର୍ଦେଶ ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝାରସୁଗୁଡା ଜିଲ୍ଲାରେ ଆଦୌ ଗଛ ଲଗାଯିବ ନାହିଁ । ଫଳରେ ସୋନୁପର ଓ ବଲାଙ୍ଗିର ଜିଲ୍ଲାରେ ଲଗାଯିବ ଗଛ । ଏପଟେ ଗଛକଟାକୁ ନେଇ ଖଣିମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ପ୍ରଶ୍ନ କଲେ ମନ୍ତ୍ରୀଙ୍କ ଉତର ହେଉଛି କୋଇଲା ମନ୍ତ୍ରାଳୟକୁ ପଚାର । ଏପରି ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀଙ୍କ ଉତର ସମସ୍ତଙ୍କୁ ଚକିତ କରିଦେବା ଭଳି । ଯଦି ରାଜ୍ୟ ସରକାର ଏ ନେଇ ହାତଟେକି ଦେବେ, ତା’ହେଲେ ଚାହୁଁ ଚାହୁଁ ପଦା ହୋଇଯିବ ଜଙ୍ଗଲ ।