ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଲୋକାର୍ପଣ କରି ମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

100

କନକ ବ୍ୟୁରୋ: ସମ୍ବଲପୁର ସମେତ ସାରା ପଶ୍ଚିମ ଓଡିଶାବାସୀଙ୍କ ବହୁ ବର୍ଷର ସ୍ୱପ୍ନ ସାକାର ହୋଇଛି । ରୂପାନ୍ତରଣ ପରେ ଅପରୂପ ଶୋଭାରାଜିରେ ଝଟକି ଉଠୁଛି ସମଲେଇ ପୀଠ । ଆଉ ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ଓ ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ ସହ ଭକ୍ତମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ।

  • ଭବ୍ୟ ସମଲେଇ ପ୍ରକଳ୍ପ ଲୋକାର୍ପିତ
  • ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଐତିହାସିକ ମୁହୁର୍ତର ସାକ୍ଷୀ ବନିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବିଭିନ୍ନ ସ୍ଥାନରୁ ଆସିଥିବା ନିମନ୍ତ୍ରିତ ଅତିଥି ସମଲେଶ୍ୱରୀ ପୀଠର ଉନ୍ନତିକରଣକୁ ପାଖରୁ ଦେଖି ବିଭୋର ହୋଇଛନ୍ତି । ପ୍ରକୃତି, ସଂସ୍କୃତି ଓ ପ୍ରଗତିର ମିଳନ ହେବା ପରେ, ଝଟକୁଥିବା ସମଲେଇ ପୀଠର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହୋଇଛନ୍ତି । ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୧ ମସିହାରେ ସମଲେଇ ପ୍ରକଳ୍ପର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ । ତାପରେ ୫-ଟି ଉପକ୍ରମରେ ଏହି ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ହୋଇଥିଲା । ୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପର କାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ମନ୍ଦିରର ଚାରି ଦ୍ୱାର ସହ ପରିକ୍ରମା ମାର୍ଗ, ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢ଼ଙ୍ଗରେ ନିର୍ମାଣ କରାଯାଇଛି । ପ୍ରତ୍ୟେକ ନିର୍ମାଣରେ ଖଣ୍ଡେଲାଇଟ ପଥର ବ୍ୟବହାର ସହ ସ୍ଥାନୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି ।

ତେବେ ୩୦ ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟିପାରିବେ । ଅନ୍ୟପଟେ ସମଲେଇ ପୀଠରେ ଜାରି ରହିଛି ଯଜ୍ଞ । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ସମ୍ବଲପୁର । ଆସନ୍ତା ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ ।