ପୋଲ ସୁଧାରିବ ଦ୍ୱିପାଂଚଳର ଜୀବନ । ପୋଲ ଦେଇ ଗାଁରେ ପହଂଚିଲା ବିକାଶ, ମହାନଦୀ ଉପରେ ସୁଗମ ହେବ ଗମନାଗମନ, ଗଢି ଉଠିବ ନୂଆ ସଂପର୍କ ।

186

କନକ ବ୍ୟୁରୋ : ଦିନ ଥିଲା ଡଙ୍ଗା ହିଁ ୬ଟି ଗାଁଲୋକଙ୍କ ଏକ ମାତ୍ର ଭରସା ପାଲଟିଥିଲା । ଡଙ୍ଗା ସାହାଯ୍ୟରେ ଲୋକମାନେ ଯିବା ଆସିବା କରୁଥିଲେ । ଅନେକ ଅଘଟଣର ସାମ୍ନା କରିବାକୁ ପଡୁଥିଲା । କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି । ନଦୀ ଉପରେ ପୋଲ ହେବା ପରେ ବଦଳୁଛି ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି ।

ସୁଗମ ହେବ ଗମନାଗମନ, ଗଢି ଉଠିବ ନୂଆ ସଂପର୍କ । ସମ୍ବଲପୁର ଜିଲ୍ଲା କୁଦ ଅଂଚଳର ନାଁ ଶୁଣିଲେ ସେଠାରେ ଝିଅ ବାହାଦେବାକୁ ଡରୁଥିଲେ ଲୋକେ । କାରଣ ବନ୍ଧୁ ଘରକୁ ଯିବାକୁ ହେଲେ ଡଙ୍ଗାରେ ନଦୀ ପାରି ହେବାକୁ ପଡୁଥିଲା । କୁଦ ଅଂଚଳରେ କୁଦ ଗୁଣ୍ଡେରପୁର, ମହଦା, ଅମଲିପାଲ୍ଲି ଭଳି ୬ଟି ଗାଁ ଅଛି । ଗାଁ ଗୁଡିକୁ ଚାରିପଟୁ ମହାନଦୀ ଘେରି ରହିଥିବା ବେଳେ ଲୋକଙ୍କ ଯିବା ଆସିବା ପାଇଁ ଡଙ୍ଗା ଏକ ମାତ୍ର ଭରସା ଥିଲା । ହେଲେ ଏବେ ସେହି ଅଂଚଳର ସ୍ଥିତି ସୁଧୁରିଛି । ବାରମ୍ବାର ଦାବି ପରେ କୁଦକୁ ଯିବା ପାଇଁ ମହାନଦୀ ଉପରେ ଏକ ପୋଲ ନିର୍ମାଣ ହୋଇଛି । ଆଉ ଏହି ପୋଲ ଦେଇ ଲୋକେ ଯାତାୟତ କରୁଥିବା ବେଳେ କୁଦ ଅଂଚଳର ଆର୍ଥିକ ସ୍ଥିତି ସୁଧୁରିବ ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

ପୋଲ ସୁଧାରିଲା ଦ୍ୱିପାଂଚଳର ଆର୍ଥିକ ସ୍ଥିତି । ପୋଲ ଦେଇ ଗାଁରେ ପହଂଚିଲା ବିକାଶ । କୁଦ ଅଂଚଳଟି ଦ୍ୱିପାଂଚଳ ହୋଇଥିବା ବେଳେ ଏଠାକାର ବିକାଶ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏକ ପୋଲ ନିର୍ମାଣ କରାଯାଇଛି । ୨୦୧୮ରେ କାମ ସରିଛି ହେଲେ ଆଜି ଯାଏଁ ଉଦଘାଟନ ହୋଇପାରିନାହିଁ । ତଥାପି ପୋଲ ଦେଇ ଗାଁକୁ ଆମ୍ବୁଲାନ୍ସ ଆସିବା ସହିତ ଗ୍ରାମବାସୀଙ୍କ ଉତ୍ପାଦିତ ଫସଲ ମଧ୍ୟ ବିକ୍ରୀ ହୋଇପାରୁଛି । ଆଉ ଦ୍ୱିପାଂଚଳର ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବା ସହ ସେମାନଙ୍କ ମୁଁହରେ ହସ ଭରିଛି । ଦିନେ ସମ୍ବଲପୁରର କୁଦକୁ ଯିବା କଥା ପଡିଲେ ଭୟ ଲାଗୁଥିଲା, ହେଲେ ମହାନଦୀ ଉପରେ ନୂଆ ପୋଲ ହେବା ପରେ ସେହି ଭୟ ଦୂର ହୋଇଛି ।