ସହଜ ହେବନି ସମ୍ବଲପୁର ବିଜୟ! ପୁରୁଣା ଗଡ ହାତେଇବାକୁ ବିଜେପି ଓ କଂଗ୍ରେସର ନୂଆ ଷ୍ଟ୍ରାଟେଜି, ବିଜେଡିକୁ ବ୍ୟାକଫୁଟକୁ ଟାଣୁଛନ୍ତି ଆଶାୟୀ ପ୍ରାର୍ଥୀ ।

167

କନକ ବ୍ୟୁରୋ : ସମ୍ବଲପୁର ସିଂହାସନକୁ ହାତେଇବାକୁ ଏବେ ତିନି ଦଳ ଆରମ୍ଭ କରିଛନ୍ତି କସରତ । ଏକଦା କଂଗ୍ରେସର ଗଡ଼ ଥିବା ରାଜ୍ୟର ଅନ୍ୟତମ ସମ୍ମାନଜନକ ସମ୍ବଲପୁର ବିଧାନସଭା ଆସନରେ ଏକବିଂଶ ଶତାବ୍ଦୀରୁ ନୂଆ ଯୁଗର ଆରମ୍ଭ ହୋଇଥିଲା। ୧୯୫୧ରୁ ୧୯୯୫ ମଧ୍ୟରେ ହୋଇଥିବା ୧୧ଟି ନିର୍ବାଚନରୁ ୭ଟିରେ କଂଗ୍ରେସ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟରେ ପରିବର୍ତ୍ତନ ସହ ସମ୍ବଲପୁରରେ ମଧ୍ୟ କଂଗ୍ରେସ ଦୁର୍ଗର ପତନ ହୋଇଥିଲା। କଂଗ୍ରେସର ଏହି ଦୁର୍ଗରେ ପ୍ରଥମ ଥର ପାଇଁ ବିଜେପି-ବିଜେଡି ମେଣ୍ଟ ରେ ଗେରୁଆ ବାନା ଉଡାଇଥିଲେ ଜୟ ନାରାୟଣ ମିଶ୍ର । ୨୦୦୦ରୁ ୨୦୧୪ ମଧ୍ୟରେ ଜୟ ସମ୍ବଲପୁର ଆସନରେ ବିଜୟର ହ୍ୟାଟ୍ରିକ ଲଗାଇ ଏହାକୁ ଗେରୁଆ ଗଡରେ ପରିଣତ କରିଥିଲେ । ତେବେ ୨୦୧୪ରେ ବଦଳିଥିଲା ସମ୍ବଲପୁରର ସମୀକରଣ । ୨୦୧୪ରେ ଅଞ୍ଚଳରେ ପରିଚିତ କିନ୍ତୁ ରାଜନୀତିରେ ନୂଆ ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେଡି ଚଳାଇଥିବା ଗୋଟି କାମ ଦେଇଥିଲା। ଜୟଙ୍କ ବିଜୟ ଯାତ୍ରାରେ ବ୍ରେକ୍‌ ଲଗାଇ ରାସେଶ୍ବରୀଙ୍କ ରାଜ ତିଳକ କରିଥିଲେ ସମ୍ବଲପୁରବାସୀ । ଏହା ଉଭୟ ନବୀନ ଓ ବିଜେଡି ପାଇଁ ସବୁଠୁ ବଡ ବିଜୟ ଥିଲା । କାରଣ ଓଡିଶା ଦଖଲ କରିବାର ଦୀର୍ଘ ଦେଢ ଦଶନ୍ଧି ପରେ ଏଠାରେ ପ୍ରଥମ ଥର ପାଇଁ ଉଡିଥିଲା ସବୁଜ ବାନା ।

୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ମୁହଁ ସାଜି ଆସିଥିବା ରାସେଶ୍ୱରୀ ପାଣିଗ୍ରାହୀ ଏ ଭିତରେ ଜଣେ ପୋଖତ ରାଜନେତା ପାଲଟି ସାରିଛନ୍ତି । ଗତ ପରାଜୟର ସାମୟିକ ନିରବତା ପରେ ଜୟ ନାରାୟଣ ମିଶ୍ର ପୁଣି ଥରେ ସିଂହ ରଡ଼ି ଛାଡ଼ିଲେଣି। ବେଶ କିଛି ବର୍ଷ ଧରି ନିଘୋଡ଼ ନିଦରେ ଶୋଇ ରହିଥିବା କଂଗ୍ରେସ୍‌ ରାଜ୍ୟ ଓ ସ୍ଥାନୀୟ ନେତୃତ୍ବ ପରିବର୍ତ୍ତନ ପରେ ପୁଣିଥରେ ଉତ୍ସାହର ସହ ରଣାଙ୍ଗନରେ ଅବତୀର୍ଣ୍ଣ ହେଲାଣି। ତେଣୁ ୨୦୧୯ ନିର୍ବାଚନ ସମ୍ବଲପୁର ଇତିହାସର ଅନ୍ୟତମ ରୋଚକ ଲଢ଼େଇ ହେବ ଓ କୌଣସି ପ୍ରାର୍ଥୀ ପାଇଁ ବିଜୟ ସହଜ ହେବ ନାହିଁ ବୋଲି ଆଶା କରାଯାଉଛି।

ସମ୍ବଲପୁର ସହର ସମେତ ବୁର୍ଲା, ହୀରାକୁଦ ସହରାଞ୍ଚଳ ଏହି ବିଧାନସଭା ଅଧୀନରେ ଆସୁଛି । ତେଣୁ ଏହି ନିର୍ବାଚନମଣ୍ଡଳୀରେ ଶିକ୍ଷିତ ଓ ସଚେତନ ଭୋଟର ରହୁଥିବାରୁ ଏଠାରେ ଅର୍ଥ ବଳ, ବାହୁ ବଳ କିମ୍ବା ଦଳ ନାମରେ ଜିତିବା କୌଣସି ପ୍ରାର୍ଥୀଙ୍କ ପକ୍ଷରେ ସହଜ ନୁହେଁ । ପ୍ରାର୍ଥୀଙ୍କ ଯୋଗ୍ୟତା ମାପିବାରେ ଏଠାକାର ଭୋଟର ବେଶ ସକ୍ଷମ । ଏହାବାଦ୍ ବସ୍ତିବାସିନ୍ଦା ଓ ସଂଖ୍ୟାଲଘୁ ଭୋଟ ମଧ୍ୟ ପୂର୍ବ ନିର୍ବାଚନ ଗୁଡିକରେ ଗେମଚେଞ୍ଜର ଭୂମିକାରେ ସାମ୍ନାକୁ ଆସିଛି ।
ଅନ୍ୟପଟେ ଟିକେଟ କଥା ଯଦି କହିବା ତେବେ ସମ୍ବଲପୁରରେ ବର୍ତ୍ତମାନର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ବିଜେଡି ଟିକଟ୍‌ ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ଅଛନ୍ତି। ତେବେ ଏହି ଦୌଡ଼ରେ ସେ ସଂପୂର୍ଣ୍ଣ ଏକାକୀ ନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ସହରରେ ହୋଇଥିବା ବିକାଶ କାର‌୍ୟ୍ୟକୁ ପାଥେୟ କରି ବିଧାୟିକା ପୁଣିଥରେ ନିର୍ବାଚନ ବୈତରଣୀ ପାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ନିଜର ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଧାୟିକା ଡା. ପାଣିଗ୍ରାହୀ ଦଳୀୟ ସଂଗଠନକୁ ଏକଜୁଟ ରଖିପାରି ନାହାନ୍ତି। ଦଳରେ ଗୋଷ୍ଠୀ ବିବାଦ ତୀବ୍ର ହୋଇଛି।

ଏକଦା ବିଧାୟିକାଙ୍କ ସମର୍ଥନରେ ଜିଲ୍ଲା ସଭାପତି ହୋଇଥିବା ଡ. ପ୍ରମୋଦ ରଥ ତାଙ୍କଠାରୁ ଦୂରେଇ ଯିବା ସହ ନିଜ ପଦ ମଧ୍ୟ ହରାଇଛନ୍ତି। ଅନ୍ୟତମ ବରିଷ୍ଠ ନେତା ଜୟବ୍ରତ ଦେ’ ଦଳ ମଧ୍ୟରେ ଏବେ ବିଧାୟିକାଙ୍କ ପରମ ପ୍ରତିଦ୍ବନ୍ଦ୍ବୀ ପାଲଟିଛନ୍ତି। ସେ ମଧ୍ୟ ଟିକଟ୍‌ ଆଶାୟୀ ଅଛନ୍ତି ଓ ଯେକୌଣସି ପରିସ୍ଥିତିରେ ନିର୍ବାଚନ ଲ‌ଢ଼ିବେ ବୋଲି ତାଙ୍କ ସମର୍ଥକଙ୍କ ଖୋଲା ଅଭିଯାନରୁ ଜଣା ପଡ଼ୁଛି। ଦଳର ଯୁବ ଓ ଛାତ୍ର ସଂଗଠନକୁ ନିଜ ହାତରେ ରଖିଥିବା ଯୁବନେତା ସଂଜିତ ମହାନ୍ତି ବି ଟିକଟ୍ ଆଶାୟୀ ଅଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି। ନିକଟରେ ଦଳର ରାଜ୍ୟ ସଂପାଦକ ପଦ ପାଇଥିବା ଅନ୍ୟତମ ଆଶାୟୀ ସିଦ୍ଧାର୍ଥ ଦାସ ଏବେ ବିଧାୟିକାଙ୍କ ନିକଟତର ହୋଇଥିବାରୁ ତାଙ୍କ ଆଡ଼ୁ ବିପଦ କିଛିଟା ଟଳିଛି। ତେବେ ଦୁଇ ବିରୋଧୀ ପ୍ରମୋଦ ରଥ ଏବଂ ଜୟବ୍ରତ ଦେ’ ହାତ ମିଳାଇବା ବିଧାୟିକାଙ୍କ ପାଇଁ କିଛିଟା ସମସ୍ୟା ସୃ‌ଷ୍ଟି କରିପାରେ। ତେଣୁ ବିରୋଧୀ ପ୍ରାର୍ଥୀଙ୍କୁ ହରାଇବା ପୂର୍ବରୁ ବିଧାୟିକାଙ୍କୁ ନିଜ ଦଳର ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ ଦେବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

ଅନ୍ୟପଟେ ବିଜେପିର ହେଭିୱେଟ୍‌ ଜୟ ନାରାୟଣ ମିଶ୍ର ଚଳିତ ବର୍ଷ ବି ପଦ୍ମ ଟିକଟର ପ୍ରମୁଖ ଦାବିଦାର ରହିଛନ୍ତି। ଗତ ନିର୍ବାଚନ ପରାଜୟ ଓ ଶାରୀରିକ ଅସୁସ୍ଥତା କାରଣରୁ କିଛି ସମୟ ନିଷ୍କ୍ରିୟ ରହିଥିବା ଜୟ ନାରାୟଣ ଏବେ ପୁଣିଥରେ ପୂରା ଦମ୍‌ରେ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ସେ ନିଜ ମଜଭୁତ ସଂଗଠନ ଓ ଲୋକସଂପର୍କକୁ ପାଥେୟ କରିଛନ୍ତି। ବିଜେଡିର ଗୋଷ୍ଠୀ କନ୍ଦଳ ତଥା କଂଗ୍ରେସ୍‌ର ଉତଥାନ୍ ଯୋଗୁଁ ସଂଖ୍ୟାଲଘୁ ଭୋଟ ଭାଗଭାଗ ହେଲେ ଏହା ବିଜେପିକୁ ସୁହାଇବ ବୋଲି ଆଶା କରାଯାଉଛି। ଅପର ପକ୍ଷରେ ସମ୍ବଲପୁରରେ ବିଜେପିର ଦୁଇ ଗୋଷ୍ଠୀ ଥିଲେ ବି ‌ନିର୍ବାଚନ ସମୟରେ ସେମାନେ ପରସ୍ପରକୁ ବିରୋଧ କରିବେ ନାହିଁ ବୋଲି କୁହାଯାଉଛି। ଖୋଦ ସୁରେଶ ପୂଜାରୀ ମଧ୍ୟ ସମ୍ବଲପୁର ବିଧାନସଭାରେ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ତେଣୁ ଗତଥରର ଲୋକସଭା ଓ ବିଧାନସଭା ଆସନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଅଦଳ ବଦଳ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କିଛି କର୍ମୀ କହୁଛନ୍ତି। ଏହାଛଡ଼ା ଭିମସାର ପୂର୍ବତନ ନିର୍ଦ୍ଦେଶକ ଡା. ଅଶ୍ବିନୀ ପୂଜାହାରୀ ଏବଂ ଆରଏସଏସ ନେତା ବିଶ୍ବରଂଜନ ପୂଜାରୀ ମଧ୍ୟ ବିଜେପି ଟିକଟ୍ ପାଇଁ ଆଶାୟୀ ଅଛନ୍ତି। ଏସବୁ ଭିତରେ ଚଳିତ ନିର୍ବାଚନରେ ସମ୍ବଲପୁରରେ ପୁଣିଥରେ ପଦ୍ମ ଫୁଟାଇବାକୁ ବିଜେପି ନେତା ସିକ୍ରେଟ ପ୍ଲାନିଂ ଆରମ୍ଭ କରିଛନ୍ତି ।

କଂଗ୍ରେସ ଦଳରେ ଆସିଥିବା ନୂଆ ଉତ୍ସାହର ସୂଚନା ଟିକଟ୍‌ ଆଶାୟୀଙ୍କ ସଂଖ୍ୟାରୁ ମିଳୁଛି। ସମ୍ବଲପୁର ବିଧାନସଭା ଆସନ ପାଇଁ ୧୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ଜିଲ୍ଲା ସଭାପତି ହେବା ପରେ ଦଳକୁ ବହୁ ମାତ୍ରାରେ ସକ୍ରିୟ କରାଇଥିବା ପୁରୁଖା ନେତା ତଥା ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ସମ୍ବଲପୁର ଆସନରୁ ଟିକଟର ପ୍ରମୁଖ ଦାବିଦାର ଅଛନ୍ତି। ସେହିପରି ଯୁବନେତା ଦୁଲାଲ ପ୍ରଧାନ, ସୁଧୀର ପଣ୍ଡା ପ୍ରମୁଖ ମଧ୍ୟ ତାଙ୍କୁ ଚାଲେଞ୍ଜ ଦେଉଛନ୍ତି। କଂଗ୍ରେସ ନିଜସ୍ବ ଭୋଟ ବ୍ୟାଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଦୁଇ ଦଶନ୍ଧି ଧରି ଏଠାରେ ଜିତି ଆସୁଥିବା ପ୍ରାର୍ଥୀ ମାନଙ୍କ ବିରୋଧ କରି ନିର୍ବାଚନରେ ଦମ ଦେଖାଇବ ବୋଲି ଆଶା ବାନ୍ଧିଛି। ତେଣୁ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଏଥର ତୀବ୍ର ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଗରୁ ସ୍ପଷ୍ଟ ହୋଇଯାଇଛି।

ହେଉଥିବା ଚର୍ଚ୍ଚା ଅନୁଯାୟୀ, ଯଦି ବିିଜେପି ନିଜର ଗଡକୁ ଫେରିବା ପାଇଁ ପୂର୍ବତନ ଭିମସାର ନିର୍ଦ୍ଦେଶକ ଅଶ୍ୱିନର ପୂଜାହାରୀଙ୍କୁ ପ୍ରାର୍ଥୀ କରେ ଓ ବିଜେଡି ବିଜୟଧାରାକୁ ଅବ୍ୟାହତ ରଖିବାକୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାମ୍ନାକୁ ଆଣେ ତେବେ ସମ୍ବଲପୁରବାସୀ ପ୍ରଥମ ଥର ପାଇଁ ଡାକ୍ତରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ପାଇବେ । ବିଜେଡିି-ବିଜେପି ଲଢେଇ ମଧ୍ୟରେ ସମ୍ବଲପୁର ସିଂହାସନ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ତେବେ ଭୋଟର ସ୍ଥିର କରିବେ ସମ୍ବଲପୁର ସିଂହାସନରେ ବସିବ କିଏ ।