ଶିକ୍ଷା ବ୍ୟବସ୍ଥାର କରୁଣ ସ୍ଥିତି !  ପିଲାଙ୍କୁ ପାଠ ପଢାଇବା ଲାଗି ନାହାନ୍ତି ଶିକ୍ଷକ, ହୋମଗାର୍ଡଙ୍କ ହାତରେ ପିଲାଙ୍କ ଭବିଷ୍ୟତ

Advertisment
ଶିକ୍ଷା ବ୍ୟବସ୍ଥାର କରୁଣ ସ୍ଥିତି !  ପିଲାଙ୍କୁ ପାଠ ପଢାଇବା ଲାଗି ନାହାନ୍ତି ଶିକ୍ଷକ, ହୋମଗାର୍ଡଙ୍କ ହାତରେ ପିଲାଙ୍କ ଭବିଷ୍ୟତ

source : sambad

କନକ ବ୍ୟୁରୋ : ୧୯୬୫ରେ ସ୍ଥାପିତ ସମ୍ବଲପୁର ସହରର ଅନ୍ୟତମ ସୁନାମଧନ୍ୟ ଉଚ୍ଚ ବିଦ୍ୟାଳୟ ପୁଲିସ୍ ହାଇସ୍କୁଲ ଏବେ ଘୋର ଦୁରବସ୍ଥା ଦେଇ ଗତି କରୁଛି। ୫ ବର୍ଷ ହେବ ଏହି ସ୍କୁଲର ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି। ସ୍କୁଲରେ ଶିକ୍ଷକ ନିଯୁକ୍ତି ହେଉ ନଥିବାରୁ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ଏସପି ଶିକ୍ଷକଭାବେ ନିୟୋଜିତ କରିଛନ୍ତି। ପୁଲିସ୍ ଚାକିରିରେ ସେମାନେ ହୋମଗାର୍ଡ ହୋଇଥିଲେ ବି ବହୁ ବର୍ଷ ହେଲା ଏହି ତିନି ଶିକ୍ଷକଙ୍କ ଉଦ୍ୟମ ଯୋଗୁଁ ସ୍କୁଲଟି କୌଣସି ମତେ ବଞ୍ଚି ରହିଛି।

publive-image source : India Today

ସ୍କୁଲରେ ପାଠ ପଢାଉଥିବା ୩ ହୋମଗାର୍ଡଙ୍କ ମଧ୍ୟରୁ ନିରଞ୍ଜନ ତ୍ରିପାଠୀ ୨୦୧୫ରୁ ଇତିହାସ ଓ ଭୂଗୋଳ ପଢାଉଛନ୍ତି। ମଞ୍ଜୁଲତା ନାୟକ ୨୦୧୦ରୁ ହିନ୍ଦୀ ଓ ଓଡ଼ିଆ ପଢ଼ାଉ ଥିବାବେଳେ ପ୍ରକାଶ ପରିଡ଼ା କଳା ବିଷୟ ପଢାଉଛନ୍ତି। ସରକାରୀ ଶିକ୍ଷକ ଭାବେ କେବଳ ହୀରାକୁଦ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଡେପୁଟେସନରେ ଆସିଥିବା ପ୍ରୀତି ଦାସ ପିଲାଙ୍କୁ ବିଜ୍ଞାନ ପଢାଉଛନ୍ତି। ସେହିପରି ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ି ଥିବାରୁ ଏନଜି ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ ପୁଲିସ୍ ହାଇସ୍କୁଲର ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ଏଥିସହ ତାଙ୍କୁ ବୁର୍ଲା ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟର ବିଲିଂ ଦାୟିତ୍ବ ମଧ୍ୟ ଦିଆଯାଇଛି।

ତେବେ ସ୍କୁଲରେ ମୁଖିଆଙ୍କ ଅନୁପସ୍ଥିତି, ଜଣେ ବ୍ୟକ୍ତିଙ୍କୁ ଏକା ସଙ୍ଗେ ୩ଟି ସ୍କୁଲର ଦାୟିତ୍ବ ଓ ନିୟମିତ ଶିକ୍ଷକଙ୍କ ଅଭାବରୁ ପୁଲିସ୍ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ପଛରେ ପଡ଼ି ଯାଇଛନ୍ତି। ମାଟ୍ରିକ ପରୀକ୍ଷାରେ ୨୦୧୭ରେ ସ୍କୁଲରୁ ୫୫% ପିଲା ପାସ କରିଥିବା ବେଳେ, ୨୦୧୮ରେ ୫୩% ଓ ୨୦୧୯ରେ ପାସହାର ୫୭% ରହିଛି। ୨୦୧୯ ମାଟ୍ରିକରେ ସ୍କୁଲରେ ପ୍ରଥମ ହୋଇଥିବା ପରୀକ୍ଷାର୍ଥୀ ସର୍ବାଧିକ ୩୬୫ (୬୧%) ନମ୍ବର ରଖିଥିଲେ। ଏଥିରୁ ସ୍ପଷ୍ଟ ଯେ, ନା ସ୍କୁଲର ପାସ୍ ହାର ୬୦% ଡେଉଁଛି ନା ଏହାର ପିଲାମାନେ ଏ୧, ଏ୨ ଭଳି ଉଚ୍ଚ ଗ୍ରେଡ୍ ପାଉଛନ୍ତି।
ସରକାରୀ ନିୟମ ଅନୁସାରେ ବିଏଡ୍ କରିଥିବା ତଥା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି ହିଁ ହାଇସ୍କୁଲରେ ଶିକ୍ଷକ ହେବା କଥା। ମାତ୍ର ବିଏ ପାସ କରିଥିବା ଏହି ୩ ଜଣ ହୋମଗାର୍ଡ ଶିକ୍ଷକଙ୍କ ହାତରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଛାଡ଼ି ଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କେମିତି ଶୋଇରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାସଙ୍କୁ ପଚାରିବାରୁ ୨୦୦୦ ମସିହା ପରଠୁ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକ ପାଇଁ ଶିକ୍ଷକ ନିଯୁକ୍ତ କରାଯାଉ ନଥିବା କହିଛନ୍ତି। ସେହିଭଳି, ସମ୍ବଲପୁର ଡିଆଇଜି ସଂଜୀବ ଆରୋରା କହିଛନ୍ତି ଯେ, ‘ପୁଲିସ୍ ବିଭାଗ ପକ୍ଷରୁ ଶିକ୍ଷା ବାଧାପ୍ରାପ୍ତ ନହେବା ପାଇଁ ଯଥା ସମ୍ଭବ ଶିକ୍ଷକ ବ୍ୟବସ୍ଥା କରାଯାଇଛି। ମୁଁ ଅତି କମରେ ଆଉ ଜଣେ ସ୍ଥାୟୀ ଶିକ୍ଷକ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି।’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe