ବଣ ପାହାଡ଼ ଘେରା ୯ ଖଣ୍ଡ ଗାଁରେ ନାହିଁ ନେଟୱାର୍କ । କିନ୍ତୁ ଅନଲାଇନ୍ ଟୋକନ ପାଇ ଆଗେଇ ଚାଲିଛି ଧାନ ମଣ୍ଡି, ଗାଁ ଗାଁ ବୁଲି ଚାଷୀଙ୍କୁ ଟୋକନ ବାଣ୍ଟୁଛନ୍ତି ଚାଷୀ ସଂଗଠନର ସଭାପତି ଓ ସଂପାଦକ ।

113

କନକ ବ୍ୟୁରୋ: ଆଜିର ଡିଜିଟାଲ ଯୁଗରେ ବିନା ନେଟୱାର୍କ କୈାଣସି କାମ କରିବା ଅସମ୍ଭବ । ଯଦି ନେଟ ନାହିଁ ତ କାମ ନାହିଁ । ତା ପୁଣି ମୋବାଇଲ କିମ୍ବା କମ୍ପୁଟର ଯୋଗେ ଅନଲାଇନରେ ପାଠ ପଢା ସାଙ୍ଗକୁ ବିଭିନ୍ନ ଅଫିସ କାର୍ଯ୍ୟ ନିତାନ୍ତ ଆବଶ୍ୟକ । ହେଲେ ଆମେ ଏଭଳି ଏକ ଗାଁ ଦେଖାଇବୁ ସେଠି ନେଟୱାର୍କ ସାତସପନ ହୋଇଥିଲେ ବି ଗାଁର କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ପାଖ ଆଖ ୯ଟି ଗାଁର କୈାଣସି କାମ ଅଟକେ ନାହିଁ । କି ନେଟୱାର୍କର କିଛି ଆବଶ୍ୟକତା ପଡେ ନାହିଁ । ସେଥିପାଇଁ ତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଏହି ଗାଁ ।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ସିରିଡ ଗାଁ । ସିରିଡ ସମେତ ୯ଟି ଗାଁର ଚାରିପଟେ ବଣ ପାହାଡ ଘେରି ରହିଛି । ତେଣୁ ଗାଁ ଗୁଡିକରେ ନେଟୱାର୍କ ନାହିଁ । କିନ୍ତୁ ନେଟୱାର୍କ ନଥିବାରୁ କୌଣସି କାମ ଅଟକି ନାହିଁ । ଏବେ ଧାନ କିଣା-ବିକାର ସମୟ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସରକାରଙ୍କ ତରଫରୁ ଚାଷୀଙ୍କ ମୋବାଇଲକୁ ମେସେଜ ଆସିବା ପରେ ଚାଷୀ ନିକଟସ୍ଥ ସମବାୟ ସମିତିରୁ ଟୋକନ ସଂଗ୍ରହ କରିଥାଆନ୍ତି । ଆଉ ଟୋକନ ଅନୁସାରେ ମଣ୍ଡିକୁ ଧାନ ନେଇଥାଆନ୍ତି । ହେଲେ ସିରିଡ ମଣ୍ଡି ଅଧିନ ସିରିଡ ଗାଁ ସମେତ ଅନ୍ୟ ୯ଟି ଗାଁରେ ନେଟୱାର୍କ ନଥାଇ ବି ଚାଷୀ ନିର୍ଦ୍ଧାରିତ ସମୟରେ ମଣ୍ଡିକୁ ଧାନ ଆଣି ବିକ୍ରି କରୁଛନ୍ତି । ଆଉ ଏସବୁ ସମ୍ଭବ ହୋଇ ପାରିଛି ସମବାୟ ସମିତିର କିଛି କର୍ମଚାରୀ ଓ ଚାଷୀ ସଂଗଠନର ସଭାପତି ଓ ସଂପାଦକଙ୍କ ଉଦ୍ୟମ ଯୋଗୁଁ ।

ଗାଁରେ ନେଟୱାର୍କ ନଥିବାରୁ, ତେଣୁ ମୋବାଇଲକୁ ମେସେଜ ଆସେ ନାହିଁ । କିନ୍ତୁ ସମବାୟ ସମିତି ଅଫିସକୁ ଟୋକନ ଆସିଲେ, କର୍ମଚାରୀମାନେ ଟୋକନକୁ ନେଇ ଗାଁ ଚାଷୀ ସଂଗଠନର ସଭାପତି ଓ ସଂପାଦକଙ୍କୁ ଦେଖିଥାନ୍ତି । ଆଉ ସଭାପତି ଓ ସଂପାଦକ ଗାଁ ଗାଁ ବୁଲି ଚାଷୀଙ୍କୁ ଟୋକନ ବାଟିଂଥାନ୍ତି । ଟୋକନ ପାଇବାର ୨୪ ଘଂଟା ଭିତରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି । ଏହି କାମରେ ଲ୍ୟାମ୍ପର କର୍ମଚାରୀ ମାନେ ଯେତିକି ସାହାଯ୍ୟ କରିଥାଆନ୍ତି ତା ଠାରୁ ଅଧିକ କାମ କରିଥାଆନ୍ତି ଚାଷୀ ସଂଗଠନର ଦୁଇ ନେତା କେଶବ ଚନ୍ଦ୍ର କୁଅଁର ଓ ଚିତ୍ରସେନ ବେହେରା । ଏମାନଙ୍କ ପାଇଁ ବିନା ନେଟରେ ମଧ୍ୟ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରୁଛି ।