ନାବାଳିକାଙ୍କୁ ନିର୍ଯାତନା : ଘର କାମ କରାଇବାକୁ କହି ଦଳିତ ଝିଅଙ୍କୁ ଶାରିରୀକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ ଅଭିଯୋଗ

ବୁର୍ଲା ଥାନାରେ ଲିଖିତ ଅଭିଯୋଗ କଲେ ପରିବାର

204

କନକ ବ୍ୟୁରୋ : ସମ୍ବଲପୁର ବୁର୍ଲାରେ ଦଳିତ ନାବାଳିକାକୁ ଶାରିରୀକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ବୁର୍ଲା ବମ୍ପର କଲୋନୀର ରହୁଥିବା ଏକ ପରିବାରର ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କ ଘର କାମ କରିବା ପାଇଁ କହି ଆଣି ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ପରିବାର । ଝିଅର ପାଠପଢା ଓ ସମସ୍ତ ସୁବିଧା ଅସୁବିଧା ବୁଝିବା ସହ ତାକୁ କିଛି ଟଙ୍କା ଦେବା କଥା କହି ପୀଡିତାଙ୍କୁ ବୁର୍ଲାରୁ ଭୁବନେଶ୍ୱର ଅଣାଯାଇଥିଲା ।

ପ୍ରଥମେ ସବୁକିଛି ଠିକ୍ ଚାଲିଥିବା ବେଳେ ପରେ ପରେ ନାବାଳିକାଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୬ମାସ ହେଲା ପୀଡିତାଙ୍କ ପରିବାର ତାଙ୍କ ସହ ଯୋଗାଯୋଗ କରିପାରୁନଥିଲେ ଏନେଇ ବୁର୍ଲାରେ ଥିବା ପରିବାରକୁ ବାରମ୍ବାର କହିବା ପରେ ମଧ୍ୟ ସେମାନେ କିଛି ଶୁଣିନଥିଲେ । ପରେ ପୀଡିତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ ଦେବା ନେଇ କହିବା ପରେ ପୀଡିତାଙ୍କୁ ଆଣି ତାଙ୍କ ଘରେ ଛାଡିଦେଇଥିଲେ ବୁର୍ଲାର ପରିବାର ।

ପରେ ପୀଡିତା ସମସ୍ତ ଘଟଣା ସମ୍ପର୍କରେ ନିଜ ପରିବାର ସଦସ୍ୟଙ୍କୁ କହିବା ପରେ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘର କାମ କରାଇବା ସହ ମାଡପିଟ କରୁଥିଲେ ଏବଂ ବାରମ୍ବାର ଦୁଷ୍କର୍ମ କରୁଥିଲେ, ଏପରିକି ଦେହରେ ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିବା ନେଇ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି ।