କନକ ବ୍ୟୁରୋ: ଗନ୍ଧ ଓ ଆବର୍ଜନା ମୁକ୍ତ ହେବ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଜ୍ଞାପିତ ଅଂଚଳ । ଆବର୍ଜନାର ସଠିକ ପରିଚାଳନା ପାଇଁ ବିଜ୍ଞପିତ ପରିଷଦ ପକ୍ଷରୁ ୫୦ଲକ୍ଷ ୭୯ ହଜାର ଟଙ୍କାରେ ନିର୍ମିତ ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ, ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି । ୩ ମାସ ତଳେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଘୋଷା ଠାରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଓ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି କେନ୍ଦ୍ରରେ ସହରରୁ ସଂଗ୍ରହ ହେଉଥିବା ଅଳିଆ ଆବର୍ଜନାକୁ ରଖାଯାଉଛି । ଏବଂ ସେଥିରୁ ମୋ ଖତ ପ୍ରସ୍ତୁତ କରାଯାଉଛି । ସଂୟଂ ସହାୟକ ଗୋଷ୍ଠୀ ଓ ସଫେଇ କର୍ମଚାରୀଙ୍କ ସହଯୋଗରେ ବର୍ଯ୍ୟବସ୍ତୁରୁ ଖତ ପ୍ରସ୍ତୁତ କରି ଉଦାହରଣ ପାଲଟିଛି କୁଚିଣ୍ଡା ଏନଏସି ।
ଏବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ମୋ ଖତ । ବର୍ଯ୍ୟବସ୍ତୁକୁ ବାଛି ଅଲଗା କରାଯାଏ ।
ପରିବା ଚୋପା ଓ ଅନ୍ୟାନ୍ୟ ଓଦା ଆବର୍ଜନାକୁ କମ୍ପୋଷ୍ଟ ପାଇଁ କୁଣ୍ଡରେ ପକାଯାଏ । ପରେ ସେଥିରେ ଦହି, ଗୁଡ ଓ କୁଣ୍ଡାର ମିଶ୍ରଣ ମିଶାଇ ସଢିବା ପାଇଁ ୨୧ ଦିନ ରଖାଯାଏ । ତା’ ପରେ ପ୍ରସ୍ତୁତ ହୁଏ ‘ମୋ ଖତ’ । ଅନ୍ୟପଟେ ଶୁଖିଲା ବର୍ଯ୍ୟବସ୍ତୁକୁ ସଂଗ୍ରହ କରି ପୁନଃ ପ୍ରକ୍ରିୟାକରଣ କରାଯାଇ ବିକ୍ରି କରାଯାଏ । ସହରକୁ ସଫା ରଖିବା ସହ ବର୍ଯ୍ୟବସ୍ତୁରୁ ଖତ ପ୍ରସ୍ତୁତ କରି ବିକ୍ରି କରୁଛି ଏନଏସି । ଏବଂ ଏଥିରୁ ରୋଜଗାର ହେଉଥିବା ଅର୍ଥରୁ ଏହି କାମରେ ନିୟୋଜିତ କର୍ମଚାରୀଙ୍କୁ ପାରିଶ୍ରମିକ ଦିଆଯାଇଥାଏ । ତେବେ ଅଂଚଳ ବାସୀଙ୍କ ସହଯୋଗ ଯୋଗୁଁ ଏସବୁ ସଂଭବ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓଡିଶା ଓ ସୁନ୍ଦର ଓଡିଶା ସଫଳ କରିବା ପାଇଁ ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ଆବର୍ଜନାରୁ ଖତ ପ୍ରସ୍ତୁତ କରି ପରବେଶକୁ ସଫା ରଖିବା ସହ ଅନେକଙ୍କୁ ନିଯୁକ୍ତି ଦେଇ କୁଚିଣ୍ଡା ଏନଏସି ଏବେ ଉଦାହରଣ ପାଲଟିଛି ।
Follow Us