କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ଲଢିବାକୁ ଆଗ୍ରହ ଥିବା ନେଇ ଧର୍ମେନ୍ଦ୍ର କହିବା ପରେ କେଉଁ ଆସନରୁ ସେ ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଢେଙ୍କାନାଳ ନା ସମ୍ବଲପୁର, କେଉଁ ଆସନରୁ ଧର୍ମେନ୍ଦ୍ର ଲଢିବେ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବଡ ବୟାନ ଦେଇଛନ୍ତି । ଦେବଗଡ ବିଧାୟକ ସୁବାସ କହିଛନ୍ତି, ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁବୁଠୁ ସୁରକ୍ଷିତ ଆସନ । ସମ୍ବଲପୁରୁ ନିର୍ବାଚନ ଲଢନ୍ତୁ ଧର୍ମେନ୍ଦ୍ର । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଯିଏ ଲଢିବ ତାହାର ପରାଜୟ ନିଶ୍ଚିତ ବୋଲି କହିଛନ୍ତି ସୁବାସ ।
ଏହାସହ ସୁବାସ କହିଛନ୍ତି, ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ଵ ଓ ଲୋକପ୍ରିୟତା ଯୋଗୁଁ ରାଜ୍ୟରେ ସେ ଯେଉଁଠୁ ଛିଡ଼ା ହେବେ ଜିତିବେ। ଦେବଗଡ଼ ସଂସଦୀୟ କ୍ଷେତ୍ର ଥିବାବେଳେ ଏଠାରୁ ଲଢି ଧର୍ମେନ୍ଦ୍ର ଜିତିଥିଲେ । ସେତେବେଳେ ଏଠାରେ ଅନେକ କାମ ହୋଇଛି । ବିଜେପି ମଧ୍ୟ ଚାହୁଁଛି ସମ୍ବଲପୁରରୁ ଲଢନ୍ତୁ ଧର୍ମେନ୍ଦ୍ର । ପଶ୍ଚିମ ଓଡ଼ିଶାବାସୀ ଚାହୁଁଛନ୍ତି ଧର୍ମେନ୍ଦ୍ର ଲଢନ୍ତୁ । ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିଲେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଫଳାଫଳ କରିବ ବୋଲି କହିଛନ୍ତି ସୁବାସ ।
ଏହାପୂର୍ବରୁ ୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ୨୦୦୪ରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ପାଲଲହଡ଼ା ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଏହାପରେ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ଯାଇଥିବାବେଳେ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
Follow Us