ସମ୍ବଲପୁରରେ ଅଭାବନୀୟ ଚିତ୍ର । ମେଳ ଖାଉନାହିଁ ଆଧାରକାର୍ଡ ତଥ୍ୟ, ଧାନ ବିକ୍ରିରୁ ବଂଚିତ ହେଲେ ୯୦୦ ଚାଷୀ

330

କନକ ବ୍ୟୁରୋ : ଆଧାର କାର୍ଡ ତଥ୍ୟ ମେଳ ନ ଖାଇବା ଫଳରେ ସମ୍ବଲପୁର ଜିଲ୍ଲାର ପ୍ରାୟ ୯୦୦ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଏଭଳି ଚାଷୀଙ୍କ ଧାନ କିଣା କିପରି ହେବ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନୀତି ନିର୍ଧାରଣ ହୋଇ ନାହିଁ। ଏହି ଅମେଳ ସୁଧାରିବା ପାଇଁ ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆକୁ ୧୨ ଶହ ଚାଷୀଙ୍କ ନାମ ପଠାଯାଇଥିଲା। ଏଥିରୁ କେବଳ ୩ ଶହ ଚାଷୀ ଟୋକନ୍ ପାଇ ପାରିଛନ୍ତି। କିନ୍ତୁ ଟୋକନ ପରେ ମଧ୍ୟ ଆଧାର କାର୍ଡ ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଆଧାର କାର୍ଡ ପ୍ରସ୍ତୁତି ବେଳେ ନାଁର ତ୍ରୁଟିପୂର୍ଣ୍ଣ ବନାନ, ଗାଁ ନାମ କି ଅନ୍ୟ ତଥ୍ୟଗତ ତ୍ରୁଟି ଚାଷୀଙ୍କ ପାଇଁ କାଳ ହେଉଛି।

ଧାନ ବିକ୍ରି ପାଇଁ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ କଡ଼ାକଡ଼ି କରାଯାଇଥିଲା। ପଞ୍ଜୀକରଣ ପାଇଁ ଚାଷୀମାନେ ଆଧାର କାର୍ଡ ଦାଖଲ କରିଥିଲା। ମାତ୍ର ଚାଷୀ ପଞ୍ଜୀକରଣ ତଥ୍ୟ ଏମିତିକି ନାଁ ଓ ଗାଁ ବନାନ ସହିତ ଆଧାର କାର୍ଡରେ ଉଲ୍ଲେଖ ରହିଥିବା ନାମ ବନାନ ଅମେଳ ଯୋଗୁଁ ସମସ୍ୟା ଉପୁଜିଛି। ଏଥିଯୋଗୁଁ ୧୨ ଶହ ଚାଷୀଙ୍କ ଟୋକନ୍ ଜେନେରେଟ ହୋଇ ପାରିନାହିଁ। ଏହି ସମସ୍ୟାର ସମ୍ମୁଖୀନ ହେବା ପରେ ଚାଷୀମାନେ ପୁନର୍ବାର ସଂଶୋଧିତ ଆଧାର ସହିତ ସୋସାଇଟିରେ ଆବେଦନ କରିଥିଲେ। ସୋସାଇଟିଗୁଡ଼ିକ ଏହାକୁ ଜିଲ୍ଲା ଏବଂ ରାଜ୍ୟ ସରକାରଙ୍କ ଜରିଆରେ ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ ଇଣ୍ଡିଆକୁ ପଠାଇଛନ୍ତି।

ମାତ୍ର କିଛି ଲାଭ ହୋଇନାହିଁ। ଅନେକ ଦିନ ଏହା ପଡ଼ି ରହିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦେଶରେ ଏନ୍ଆଇସିର ଏକ ଦଳ ପ୍ରତ୍ୟେକ ସୋସାଇଟିକୁ ଯାଇ ଆଧାର ଅମେଳ ଥିବା ସବୁ ଚାଷୀଙ୍କ ଦସ୍ତାବେଜର ତର୍ଜମା କରିଥିଲେ। ଏହାପରେ ପର୍ଯ୍ୟାୟ କ୍ରମେ ୩୦୦ ଚାଷୀଙ୍କ ଟୋକନ୍ ଆସିଛି। ଆହୁରି ୯ଶହ ଚାଷୀଙ୍କ ଧାନ ବିକ୍ରି ନେଇ ଅନିଶ୍ଚିତତା ରହିଛି। ଜଳସେଚିତ ଅଞ୍ଚଳରେ ଏବେ ଚାଷୀ ଡାଳୁଅ ଚାଷ ଆରମ୍ଭ କରିଛନ୍ତି। କିନ୍ତୁ ଖରିଫ ଧାନ ବିକ୍ରି ହୋଇପାରୁ ନ ଥିବାରୁ ସ୍ବଳ୍ପ ମୂଲ୍ୟରେ ବ୍ୟବସାୟୀଙ୍କ ହାତରେ ସେମାନେ ଟେକି ଦେବାକୁ ବାଧ୍ୟ ହେଲେଣି। ସିଏସ୍ଓ ରଂଜନ ସେଠଙ୍କୁ ଏ ବିଷୟ ପଚାରିବାରୁ ଆଧାର ଅମେଳ ସମସ୍ୟାକୁ ସ୍ବୀକାର କରିଛନ୍ତି। ତେବେ ଯେଉଁ ଚାଷୀଙ୍କ ଟୋକନ୍ ଯେତେବେଳେ ମଧ୍ୟ ଆସିବ ସେତେବେଳେ ତାଙ୍କ ଧାନ ସଂଗ୍ରହ ହେବ ଓ ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।