ସମ୍ବଲପୁରରେ ସୀମା ଟପିିଲା ନୃଶଂସତା । କମେଂଟମରାରୁ ଡବଲ ମର୍ଡର, ୫ ଜଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ : ୨ ଭାଇ ମୃତ

763

କନକ ବ୍ୟୁରୋ : କମେଂଟମରାରୁ ଡବଲ ମର୍ଡର । ସବୁ ସୀମା ଟପି ଯାଇଛି ନୃଶଂସତା । ସମ୍ବଲପୁରର ଯୁଯୁମରା ଥାନା ଭଣ୍ଡାରିମାଲ ଗାଁ ଦାଣ୍ଡରେ ୫ଜଣଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଗୋଟିଏ ଗୋଡ କାଟି ଦେଇଛନ୍ତି ଦୁବୃର୍ତ । ତାଙ୍କୁ ମଧ୍ୟରାତ୍ରିରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଆଉ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗାଁର ଜଣେ ଝିଅକୁ କମେଂଟ ଓ ମାରପିଟ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡିଛି । କମେଂଟ ମାରିଥିବା ଯୁବକଗୋଷ୍ଠୀଙ୍କ ଆକ୍ରମଣରେ ରାତି ପ୍ରାୟ ୮ଟା ରୁ ୯ଟା ମଧ୍ୟରେ ଗାଁ ରାସ୍ତାରେ ରକ୍ତର ସୁଅ ଛୁଟିଛି ।

ଦୁଇ ମୃତ ଓ ଦୁଇ ଆହତଙ୍କ ଗୋଡକୁ କାଠ ଉପରେ ରଖି ହାଣି ଛିଡାଇ ଦେଇଛନ୍ତି ଦୁବୃର୍ତ । ମୃତକମାନେ ହେଲେ ଭଣ୍ଡାରିମାଲ ଗ୍ରାମ ତଳିପଡାର ଶକ୍ତିଭୂଷଣ କୁମାର ଓ ଅରବିନ୍ଦ କୁମାର, ଆହତମାନେ ହେଲେ ସେମାନଙ୍କ ଭାଇ ବିଭୁତି ଭୂଷଣ କୁମାର ଓ ସମ୍ପର୍କୀୟ ନନ୍ଦଲାଲ ଭୁଏ । ମୃତକମାନେ ସେହି ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସେପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଜଣେ ଝିଅକୁ ତଳିପଡାର କିଛି ଯୁବକ କମେଂଟ ମାରିବା ସହ ଗାଳିଗୁଲଜ କରିଥିଲେ ।

ସେହି ଘଟଣାକୁ କେନ୍ଦ୍ର କରି ଝିଅଙ୍କ ପରିବାର ଓ କିଛି ସମ୍ପର୍କୀୟ ସୋମବାର ସକାଳେ ଆଲୋଚନା ପାଇଁ ଯାଇଥିଲେ । କିନ୍ତୁ କମେଂଟ ମାରିଥିବା ଯୁବକଙ୍କୁ ନପାଇ ଗାଁ ଦାଣ୍ଡରେ ଗାଳିଗୁଲଜ କରି ଫେରି ଆସିଥିଲେ । ଏହି ଘଟଣା ପରେ କମେଂଟ ମାରିଥିବା ଗୋଷ୍ଠୀ ସନ୍ଧ୍ୟାରେ ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ର ଧରି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଝିଅଙ୍କ ସମ୍ପର୍କୀୟ ଗାଁ ମୁଣ୍ଡରେ ପହଁଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋଷ୍ଠୀ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ ।