ଚର୍ଚ୍ଚାରେ ସମର୍ଥଙ୍କ ‘ସ୍ୱଚ୍ଛ ଭାରତ’! ମିସନ୍ କ୍ଲିନରେ ସମ୍ବଲପୁର ଜିଲ୍ଲାପାଳ

40

କନକ ବ୍ୟୁରୋ: ମହାନଦୀ କୂଳକୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲାପାଳଙ୍କ ଅଭିନୟ ପ୍ରୟାସ । ସମ୍ବଲପୁର ଓ ରିଙ୍ଗରୋଡକୁ ଲାଗି ରହିଥିବା ମହାନଦୀ କୂଳରେ ପଇଁତରା ମାରୁଛନ୍ତି ସିଆରପିଏଫ ଯବାନ । କିନ୍ତୁ ସୁରକ୍ଷା ଉଦ୍ଦେଶ୍ୟରେ ମୁତୟନ ହୋଇନାହାନ୍ତି ସୁରକ୍ଷାକର୍ମୀ ବରଂ ସ୍ୱଚ୍ଛତା ମିସନ ବାବଦରେ ଲୋକଙ୍କୁ ସଚେତନ କରାଇବା ପାଇଁ । ମହନାଦୀ ପଠାକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ।

ଏହି ଚିତ୍ର ଦେଖି ଆପଣ ଭାବୁଥିବେ କି, ସମ୍ବଲପୁରରେ ବୋଧହୁଏ କୌଣସି ମାଓ ମୁକାବିଲା କିମ୍ବା ସେଭଳି କୌଣସି ଜରୁରୀ କାଳୀନ ଅଭିଯାନ ଚାଲିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ମହାନଗର ନିଗମ୍ କମିସନର୍ ବିମଳେନ୍ଦୁ ରାୟ ଅଛନ୍ତି ଓ ସୁରକ୍ଷା ବଳୟ ଭିତରେ ଜୋରସୋରରେ ଅଭିଯାନ ଚାଲିଥିବା ମନେହେଉଥିବ । ତେବେ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବେ କିନ୍ତୁ ନକ୍ସଲ୍ ଦମନ୍ କିମ୍ବା ଅନ୍ୟ କୌଣସି ଆପାତକାଳୀନ ସ୍ଥିତିର ନୁହେଁ । ସମ୍ବଲପୁରକୁ ସ୍ୱଚ୍ଛ କରିବାକୁ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଚାଲିଛି ପ୍ରଶାସନର ସ୍ୱତନ୍ତ୍ର ଅଭିଯାନ ।

ମହାନଦୀ କୁଳରେ ମଳତ୍ୟାଗ ନକରିବାକୁ ସମର୍ଥ ବର୍ମା କରୁଛନ୍ତି ସଚେତନଧର୍ମୀ କାର୍ଯ୍ୟକ୍ରମ । ବାହାରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବାକୁ ସମର୍ଥ ଦେଉଛନ୍ତି ପରାମର୍ଶ । ଖାଲି ଏତିକି ନୁହେଁ, ଡାକବାଜି ଯନ୍ତ୍ର ଜରିଆରେ ଜିଲ୍ଲା ପ୍ରଶାସନ ତରଫରୁ ବାହାରେ ମଳତ୍ୟାଗ ପାଇଁ ବାରଣ କରାଯାଉଛି । ଆଉ ଏହି ଅଭିଯାନରେ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଉଛି । ଅନ୍ୟ ପଟେ ଶୌଚାଳୟ ନଥିବା ସ୍ଥାନରେ ଶୌଚାଳୟ ନିର୍ମାଣପାଇଁ ଦାବି କରାଯାଇଛି ।

ରିଙ୍ଗ୍ ରୋଡର ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ କିନ୍ତୁ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ମହାନଦୀ କୁଳରେ ଲୋକଙ୍କ ମଳତ୍ୟାଗ । ଏବେ ସ୍ୱତନ୍ତ୍ର ଅଭିଯାନ ପରେ ସ୍ଥିତି ବଦଳିବାର ଲକ୍ଷ୍ୟ ରଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ।