ପ୍ରଦୂଷଣ ମାପିଲେ ମିଳିବ ପିଆଜ: ଟ୍ରାଫିକ ସଚେତନତା ପାଇଁ ବ୍ୟବସାୟୀଙ୍କ ଭିନ୍ନ ପ୍ରୟାସ । ପ୍ରଦୂଷଣ ପରୀକ୍ଷା ପରେ ଗାଡି ଚାଳକଙ୍କୁ ମାଗଣାରେ ଦେଉଛନ୍ତି ପିଆଜ

381

କନକ ବ୍ୟୁରୋ: ପ୍ରଦୂଷଣ ମାପନ୍ତୁ, ପିଆଜ ନିଅନ୍ତୁ । ଗାଡିର ପଲ୍ୟୁସନ ପରୀକ୍ଷା କରି ମାଗଣାରେ ନେଇଯାଆନ୍ତୁ ଅଧ କେଜି ପିଆଜ । ଗାଡି କାଗଜପତ୍ର ଠିକ କରିବା ସହ ଲୋକଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବା ପାଇଁ ଏଭଳି ନିଆରା ପ୍ରୟାସ କରିଛନ୍ତି ସମ୍ବଲପୁରର ବ୍ୟବସାୟୀ ସୁଧାଂଶୁ ମହାରାଣା ।

ପିଆଜକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ସମ୍ବଲପୁର ଚେରୁଆପଡାରେ ନିଜ ପଲ୍ୟୁସନ ଟେଷ୍ଟ ସେଣ୍ଟରରେ ଲୋକଙ୍କୁ ଆକୃଷ୍ଟ କରିବାକୁ ପିଆଜ ଅଫର ଦେଉଛନ୍ତି ସୁଧାଂଶୁ । ତେବେ ପ୍ରଦୂଷଣ ପରୀକ୍ଷା ବାବଦକୁ ୬୦ ଟଙ୍କା ପଡୁଥିବା ବେଳେ ଜିଏସଟି ମିଶି ୭୦ ଟଙ୍କା ନେଉଛନ୍ତି ସୁଧାଂଶୁ । ଆଉ ପ୍ରତିବଦଳରେ ଗ୍ରାହକଙ୍କୁ ଅଧ କେଜି ପିଆଜ ଦେଉଛନ୍ତି ।

ତେବେ ପ୍ରଦୂଷଣ ପରୀକ୍ଷା କରି ମାଗଣାରେ ପିଆଜ ପାଉଥିବାରୁ ଗ୍ରାହକମାନେ ମଧ୍ୟ ବେଶ ଖୁସି ଅଛନ୍ତି । ବଜାରରେ ପିଆଜର ଭାଉ ଅନେକ ଥିବାରୁ ଏବେ ପିଆଜ ଖାଇବା ସାଧାରଣ ଲୋକଟେ ପାଇଁ ସ୍ୱପ୍ନ ପାଲଟିଛି । ଆଉ ଠିକ ଏତିକି ବେଳେ ଟ୍ରାଫିକ ସଚେତନତାକୁ ଆଖି ଆଗରେ ରଖି ବ୍ୟବସାୟୀ ଜଣଙ୍କ ଗ୍ରାହକଙ୍କ ପାଇଁ ଏମିତି ସୁବିଧା କରିଥିବାରୁ ଲୋକେ ଆଗ୍ରହର ହସ ଗାଡିର ପ୍ରଦୂଷଣ ପରୀକ୍ଷା କରୁଛନ୍ତି ଆଉ ସାଥିରେ ପିଆଜ ମଧ୍ୟ ନେଇ ଯାଉଛନ୍ତି ।

ଗତ କିଛି ଦିନ ତଳେ ପିଆଜକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଥିଲା । କିଏ ବାହାଘରରେ ପିଆଜ ଉପହାର ଦେଉଥିଲା ତ ପୁଣି କିଏ ପିଆଜ ବରଣମାଳା ଦେଇ ବିବାହ ହେଉଥିଲା । ବାଲେଶ୍ୱରରେ ମୋବାଇଲ କିଣିଲେ ପିଆଜ ମଧ୍ୟ ମାଗଣାରେ ମିଳୁଥିଲା । ଆଉ ଏବେ ସମ୍ବଲପୁରରେ ପ୍ରଦୂଷଣ ପରୀକ୍ଷା କଲେ ପିଆଜ ମିଳୁଥିବା କଥା ସାରା ସହରରେ ଚର୍ଚ୍ଚା ସୃଷ୍ଟି କରିଛି ।