ଚେଇଁ ଶୋଇଛି କି ପ୍ରଶାସନ !! ୩ ବର୍ଷ ହେଲାଣି କାମ ସରିଲାଣି କିନ୍ତୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ସେତୁ

114

କନକ ବ୍ୟୁରୋ : ସମ୍ବଲପୁର ସହର ଦେଇ ଯାଇଥିବା ହରଡ଼ଜୋର ନାଳ ଉପରେ ଗୋବିନ୍ଦତୋଲାଠାରେ ଦ୍ବିତୀୟ ବ୍ରିଜ ନିର୍ମାଣ କାର୍ଯ୍ୟ ୨୦୧୭ ମସିହା ମାର୍ଚ୍ଚ ମାସରୁ ଶେଷ ହେଲାଣି। ମାତ୍ର ବ୍ରିଜର ଉଭୟ ପାର୍ଶ୍ବରେ ଆପ୍ରୋଚ ରୋଡ୍‌ ତିଆରି ହୋଇପାରୁନଥିବାରୁ ୩ ବର୍ଷ ହେଲା ଏହି ବ୍ରିଜଟି ଅକାମୀ ହୋଇ ପଡ଼ିରହିଛି। ତେବେ ଟେଣ୍ଡର ସମୟରେ ଆପ୍ରୋଚ ରୋଡ୍‌ ସମ୍ପର୍କିତ କୌଣସି ବ୍ୟବସ୍ଥା କରାଯାଇନଥିଲା। ତେବେ ବର୍ତ୍ତମାନ ବ୍ରିଜର ଉଭୟ ପାର୍ଶ୍ବରେ ରହିଥିବା ଘରୋଇ ଜମି ଓ କୋଠା ଅଧିଗ୍ରହଣ କରାନଗଲେ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରିବା ଅସମ୍ଭବ ହୋଇପଡ଼ିଥିବାରୁ ୬.୪୦ କୋଟି ଟଙ୍କାରେ ନିର୍ମିତ ଏହି ବ୍ରିଜ୍‌ଟି ଏବେ ଅକାମୀ ହୋଇ ପଡ଼ିରହିଛି। ସେପଟେ, ଏହି ଆପ୍ରୋଚ୍‌ ରୋଡ ନିର୍ମାଣ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଇନଥିବା ଜଣାପଡ଼ିଛି। ସେପଟେ, ଜେଲ୍‌ଛକରୁ ଧନୁପାଲି ଯାଏଁ ହେବାକୁ ଥିବା ୪ ଲେନ୍‌ ବିଶିଷ୍ଠ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲେ ଉକ୍ତ ବ୍ରିଜ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ଚାରଭାଟିରୁ ଧନୁପାଲିକୁ ସଂଯୋଗ କରୁଥିବା ରାସ୍ତା ଦେଇ ହରଡ଼ଜୋର ନାଳ ଯାଇଛି। ଏହା ଉପରେ ପୂର୍ବରୁ ଏକ ବ୍ରିଜ ଥିବା ସମୟରେ ବର୍ଦ୍ଧିତ ଟ୍ରାଫିକ ସମସ୍ୟା ‌ଯୋଗୁଁ ଉକ୍ତ ପୁରୁଣା ବ୍ରିଜର ସମାନ୍ତରାଳରେ ଆଉ ଏକ ବ୍ରିଜ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୮.୫ ମିଟର ପ୍ରସ୍ଥ ଓ ୭୫ ମିଟର ଦୈର୍ଘ୍ୟର ଏକ ନୂଆ ବ୍ରିଜ ନିର୍ମାଣ ପା‌ଇଁ ଅନୁମତି ମିଳିବା ପରେ ସମ୍ବଲପୁର ପୂର୍ତ୍ତ ବିଭାଗ ପକ୍ଷରୁ ୬.୪୦ କୋଟି ଟଙ୍କାର ଏହି ବ୍ରିଜ କାମ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ୨୦୧୭ ମାର୍ଚ୍ଚ ମାସ ବେଳକୁ ବ୍ରିଜ କାମ ଶେଷ ହୋଇ ଯାଇଥିଲା। ଏହି ବ୍ରିଜ କାର୍ଯ୍ୟକ୍ଷମ ହୋଇପାରିଲେ ଏହି ଅଞ୍ଚଳରେ ଦେଖା ଦେଉଥିବା ଟ୍ରା‌ଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଲୋକେ ଚିନ୍ତା କରିଥିଲେ। ମାତ୍ର ଏହି ବ୍ରିଜ ଏବେ ସ୍ଥାନୀୟ ଲୋକଙ୍କ ଗାଈଗୁହାଳ ପାଲଟିଯାଇଛି। ଗୋରୁ ଗାଈ ଏହି ସ୍ଥାନରେ ଆସି ଶୋଉଥିବା ସମୟରେ କିଛି ଲୋକେ ଏଠାରେ ସେମାନଙ୍କ ଗାଡ଼ି ମଧ୍ୟ ପାର୍କ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।