ନିଶା ମୁକ୍ତ ହେବ ସମ୍ବଲପୁର : ସମଗ୍ର ଜିଲ୍ଲାକୁ ନିଶା ମୁକ୍ତ କରିବାପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ କରିଛି ମାଷ୍ଟର୍ ପ୍ଲାନ୍

63

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଲରେଇ ପାଲି, ପଞ୍ଚାୟତ୍ ମଦ ମୁକ୍ତ ହୋଇ ଓଡିଶା ବାହାରେ ପ୍ରଶଂସା ସାଉଁଟି ଥିବାବେଳେ ଏବେ ସମଗ୍ର ସମ୍ବଲପୁର ଜିଲ୍ଲାକୁ ନିଶା ମୁକ୍ତ କରିବାପାଇଁ ଜିଲ୍ଲା ପ୍ରସାଶନ ଅଣ୍ଟା ଭିଡିଛି । ପ୍ରସ୍ତୁତ ହୋଇଛି ଯୋଜନା ।

ସମ୍ବଲପୁର ଜିଲ୍ଲା ହେବ ନିଶା ମୁକ୍ତ ଜିଲ୍ଲା ୧୩୮ଟି ଜିପିରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ ନିଶା କାରବାର୍ । ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ମାଷ୍ଟର୍ ପ୍ଲାନ୍ । ଯୋଜନା ଅନୁସାରେ ଜିଲ୍ଲାର ୯ଟି ବ୍ଲକରେ ସଚେତନ ପାଇଁ ଗାଡି ବୁଲିବା ସହିତ ଟିଭି ସାହାଯ୍ୟରେ ନିଶାର କୁପ୍ରଭାବ ସମ୍ପର୍କରେ ପ୍ରତ୍ୟେକ ଦିନ ଗ୍ରାମ ଗୁଡିକରେ ଘୁରି ବୁଲିବ ଗାଡି ଗୁଡିକ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ସଚେତନ ବାର୍ତ୍ତା ଅଙ୍କା ହେବା ସହିତ ବିଭିନ୍ନ ସଂଙ୍ଗଠନ ତଥା ଆର୍ଟ ଅଫ୍ ଲିଭିଙ୍ଗ୍, ବ୍ରହ୍ମ କୁମାରୀ, ପଞ୍ଚାୟତ ଅଧିକାରୀ ସରପଞ୍ଚକୁ ନେଇ ଏକ ଦଶ ଜଣିଆ ପଞ୍ଚାୟତ କମିଟି ଗଠନ କରାଯିବ । ନିଶା ଖାଉଥିବା ଲୋକଙ୍କୁ ବିଭିନ୍ନ ଧନ୍ଦା ମୂଳକ ତାଲିମ୍ ପ୍ରଦାନ କରାଯିବାର ଯୋଜନା ରହିଛି । ମୁଖ୍ୟତଃ ସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇ ଗ୍ରାମଞ୍ଚଳରେ ମଧ୍ୟ କରାଯିବ ସଚେତନ ।

ଜିଲ୍ଲା ପ୍ରଶାସନ ତରଫରୁ ଏକ ଯୋଜନା ପ୍ରସ୍ତୁତ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିବା ବେଳେ ଗ୍ରାମାଞ୍ଚଳ ଲୋକମାନେ ଘଟଣା ଶୁଣିଲା ପରେ ଖୁସି ଥିବା ଦେଖାଯାଇଛି । ମୁଖ୍ୟତଃ ନିଶା ଯୋଗୁଁ ସାମାଜିକ ଗୋଣ୍ଡଗୋଳ ଗ୍ରାମାଞ୍ଚଳ କମିବା ସହିତ ଅପରାଧିକ କାର୍ଯ୍ୟକଳାପ କମିବ ବୋଲି ଗ୍ରାମବାସୀ କହିଛନ୍ତି ।

ଆଗାମୀ ଦିନରେ ସରକାର ଏହି ଯୋଜନାକୁ ମୋହର୍ ମାରିଲେ ଅନେକ ଗ୍ରାମାଞ୍ଚଳ ଲୋକଙ୍କ ଉନ୍ନତି ହୋଇପାରିବେ ।